ନୂଆଦିଲ୍ଲୀ,୨୪/୦୪: ଜମ୍ମୁ- କାଶ୍ମୀରର ପହଲଗାମ୍ରେ ଆତଙ୍କବାଦୀଙ୍କ ନରସଂହାରରେ ୨୮ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ୱାଘା ଅଟାରୀ ସୀମାରେ ଥିବା ସମନ୍ୱିତ ଚେକ୍ ପୋଷ୍ଟ (ଆଇସିପି)କୁ ତ୍ୱରୀତ ଭିତ୍ତିରେ ବନ୍ଦ କରାଯାଇଛି । କେନ୍ଦ୍ର କ୍ୟାବିନେଟର ନିରାପତ୍ତା କମିଟି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିବା ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସୂଚନା ଦେଇଛନ୍ତି । ୱାଘା-ଅଟାରି କରିଡର ବନ୍ଦ ହେବା ଯୋଗୁ ୩୮୦୦ କୋଟିର କାରବାର ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି ।
୨୦୨୩-୨୪ରେ ଉଭୟ ପଟୁ ୩୮୮୬.୫୩ କୋଟିର କାରବାର ରେକର୍ଡ କରାଯାଇଥିଲା । ଏହି ଅବଧିରେ ୬୮୭୧ ପଣ୍ୟ ଗତିବିଧି ହୋଇଥିଲା । ୭୧,୫୬୧୩ ଯାତ୍ରୀ ଏହି ସୀମା ଦେଇ ଯାତ୍ରା କରିଥିଲେ । ଏବେ ବୈଧ ଦସ୍ତାବିଜରେ ଭାରତ ଆସିଥିବା ପାକିସ୍ତାନ ଲୋକଙ୍କୁ ମେ ପହିଲା ଆଗରୁ ଫେରିଯିବାକୁ ନିର୍ଦ୍ଦେଶ ରହିଛି । ଅଟାରି ସୀମା ପଞ୍ଜାବର ଅମୃତସର ଠାରୁ ମାତ୍ର ୨୮ କିମି ଦୂରତାରେ ରହିଛି। ପାକିସ୍ତାନ ସହ ବାଣିଜ୍ୟ ଲାଗି ଏକମାତ୍ର ଅନୁମତି ପ୍ରାପ୍ତ ପଥ । ୧୨୦ ଏକର ଅବଧି ଏହି ସୀମା ଜାତୀୟ ରାଜପଥ ୧କୁ ସଂଯୋଗ କରୁଛି। ଏଠାରେ ଥିବା ଚେକ୍ ପୋଷ୍ଟ ଆଫଗାନିସ୍ତାନ ଭଳି ଦେଶଗୁଡ଼ିକରୁ ସ୍ଥଳଭାଗରେ ଆମଦାନି ଲାଗି ବିଶେଷ ଭାବେ ବ୍ୟବହାର ହୋଇଥାଏ । ଏହା ସହ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷୀକ କାରବାର ଲାଗି ଅଟାରି ଲ୍ୟାଣ୍ଡ ପୋର୍ଟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ରାସ୍ତା ଦେଇ ଭାରତ ସୋୟାବିନ, ଚିକେନ ଫିଡ୍, ପନିପରିବା, ଲଙ୍କା, ପ୍ଲାଷ୍ଟିକ ଦାନା ଏବଂ ପ୍ଲାଷ୍ଟିକ ସୂତା ରପ୍ତାନି କରିଥାଏ।
ସେହିଭଳି ପାକିସ୍ତାନ ପଟୁ ଫଳ, ଶୁଖା ଫଳ, ଜିପସମ, ସିମେଣ୍ଟ, କାଚ ରକସଲ୍ଟ ଏବଂ ଗୁଲ୍ମ ସହ ବିଭିନ୍ନ ସାମଗ୍ରୀ ଆସିଥାଏ । ଏହି ସୀମା ଏବେ ବନ୍ଦ ହେବା ପରେ ସାମଗ୍ରୀ ପରିବହନରେ ବାଧା ଉପୁଜିବ । ଏହା ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ ଏବଂ ମାନୁଫାକଚର ମାନେ ସମସ୍ୟା ସାମ୍ନା କରିବେ । ୨୦୧୮- ୧୯ ପରଠୁ ଏହି ରୁଟ୍ରେ କାରବାର କମୁଛି । କାରଣ ପାକିସ୍ତାନର ଆତଙ୍କି କାର୍ଯ୍ୟକଳାପ ବୃଦ୍ଧି ଯୋଗୁ ଏହା ଦ୍ୱିପାକ୍ଷିକ କାରବାରକୁ କ୍ଷତିଗ୍ରସ୍ତ କରୁଛି । ସେହିଭଳି ପାକିସ୍ତାନ ଦେଇ ଭାରତ ଆସୁଥିବା ସାମଗ୍ରୀ ଏବେ ଲଜିଷ୍ଟିକ୍ସର ବଡ଼ ସମସ୍ୟା ସାମ୍ନା କରିବ ।
ୱାଘା ଅଟାରୀ ସୀମା ୨ ଦେଶ ମଧ୍ୟରେ କାରବାରର ଏକ ପ୍ରମୁଖ ରାସ୍ତା ରହି ଆସିଛି । ୨୦୧୯ରେ ଦ୍ୱିପାକ୍ଷିକ କାରବାର ରଦ୍ଦ ହେବା ପୂର୍ବରୁ ଏହି ରୁଟରେ ବାର୍ଷିକ ୫ ହଜାର କୋଟିର କାରବାର ହେଉଥିଲା । ତେବେ ବର୍ତ୍ତମାନର କଟକଣା ପଞ୍ଜାବର ସ୍ଥାନିୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ସୀମା ପାର କାରବାର କ୍ଷତିଗ୍ରସ୍ତ ହେବା ଯୋଗୁ ଅମୃତସର ଦୈନିକ ଭିତ୍ତିରେ ୧ କୋଟି ଟଙ୍କାର କ୍ଷତି ସହିବ ବୋଲି ଆକଳନ କରାଯାଇଛି ।