ନୂଆଦିଲ୍ଲୀ,୦୩/୦୭: ଉତ୍ତରପ୍ରଦେଶର ହାପୁଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଦ୍ରୁତଗତିରେ ଆସୁଥିବା ଟ୍ରକ୍ । ଫଳରେ ଗୋଟିଏ ପରବାରର ଚାଲିଗଲା ୫ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡ଼ିଛି । ସେପଟେ ଘଟଣାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ସୂଚନା ମୁତାବକ, ଗତକାଲି ରାତିରେ ବୁଲନ୍ଦସହର-ହାପୁର ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହାପୁରର ବାସିନ୍ଦା ଦାନିଶ ତାଙ୍କ ୨ ଝିଅ,ତାଙ୍କ ଭାଇର ପୁଅ ଏବଂ ପଡ଼ୋଶୀ ଓକିଲ ଖାନଙ୍କ ପୁଅ ସହିତ ଏକ ସୁଇମିଂ ପୁଲକୁ ଯାଇଥିଲେ। ଗାଧୋଇବା ପରେ, ଦାନିଶ ସମସ୍ତ ପିଲାଙ୍କୁ ଗୋଟିଏ ବାଇକ୍ ରେ ନେଇ ଘରକୁ ଫେରୁଥିଲେ। ସେତେବେଳେ ତାଙ୍କ ବାଇକ୍କୁ ଅପର ପାର୍ଶ୍ବରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସମସ୍ତ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରୁଛି । ଅନ୍ୟପଟେ ମୃତ୍ୟୁ ପୂର୍ବରୁ ମୃତକଙ୍କ ସୁଇମିଂ ପୁଲ ଭିଡିଓ ଭାଇରାଲ ହୋଇଛି ।