ନୂଆଦିଲ୍ଲୀ,୨୪/୦୪: ପହଲଗାମ୍ରେ ପର୍ଯ୍ୟଟକଙ୍କ ଉପରେ ପାକିସ୍ତାନୀ ଆତଙ୍କୀଙ୍କ ଆକ୍ରମଣ ପରେ କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ସ୍ୱରୂପ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରବାହିତ ହେଉଥିବା ସିନ୍ଧୁ ନଦୀ ଓ ଏହାର ସହାୟକ ନଦୀଗୁଡିକର ଜଳ ବଣ୍ଟନକୁ ନେଇ ୧୯୬୦ ସେପ୍ଟେମ୍ବର ୧୯ରେ ଦୁଇ ଦେଶ ମଧ୍ୟରେ ଏକ ବୁଝାମଣା ହୋଇଥିଲା । ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ୍ ଖାନ୍ କରାଚୀରେ ସିନ୍ଧୁ ଜଳ ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଦୀର୍ଘ ୯ ବର୍ଷ ଧରି ଏଥିଲାଗି ଦୁଇ ଦେଶ ଆଲୋଚନା କରିଥିବାବେଳେ ଶେଷରେ ବିଶ୍ୱ ବ୍ୟାଙ୍କ୍ ମଧ୍ୟସ୍ଥତାରେ ତାହା ଚୂଡାନ୍ତ ରୂପ ନେଇଥିଲା । ସିନ୍ଧୁ ନଦୀ ପ୍ରଣାଳୀରେ ମୋଟ ୬ଟି ନଦୀ ସାମିଲ । ସେଥିମଧ୍ୟରେ ସିନ୍ଧୁ, ସତ୍ଲେଜ, ଝେଲମ୍, ଚିନାବ, ରାବି ଓ ବ୍ୟାସ ସାମିଲ ।
ଏହି ଚୁକ୍ତି ଅନୁସାରେ, ଭାରତ ସିନ୍ଧୁ ନଦୀ ପ୍ରଣାଳୀର କେବଳ ୨୦ ପ୍ରତିଶତ ପାଣି ହିଁ ବ୍ୟବହାର କରିପାରିବ । ବାକି ୮୦ ପ୍ରତିଶତ ପାଣି ପାକିସ୍ତାନକୁ ଦେଇଥାଏ । ଏକ ଆକଳନ ଅନୁସାରେ ପ୍ରାୟ ୨୧ କୋଟିରୁ ଅଧିକ ପାକିସ୍ତାନୀଙ୍କର ପାଣି ଆବଶ୍ୟକତା ସିନ୍ଧୁ ଜଳ ପ୍ରଣାଳୀ ଉପରେ ନିର୍ଭରଶୀଳ । ତେଣୁ ସିନ୍ଧୁ ନଦୀକୁ ପାକିସ୍ତାନର ଲାଇଫଲାଇନ୍ ବୋଲି କୁହାଯାଇଥାଏ ।
ଏଭଳିକ୍ଷେତ୍ରରେ ବୁଝାମଣାକୁ ଭାରତ ରୋକିବା ଦ୍ୱାରା ପାକିସ୍ତାନ ପାଣି ପାଇଁ ଡହଳବିକଳ ହେବ । ପାକିସ୍ତାନର କୃଷି କ୍ଷେତ୍ର ଉପରେ ଏହାର ବ୍ୟାପକ ପ୍ରଭାବ ପଡିବ । ପିଇବା ପାଣିର ଗୁରୁତର ସଙ୍କଟ ବି ଦେଖାଯିବ । ପାକିସ୍ତାନର ପଞ୍ଜାବ ପ୍ରଦେଶ ଏହି ଚୁକ୍ତି ଯୋଗୁ ସବୁଠୁ ଅଧିକ ଲାଭ ପାଇଥାଏ । ବୁଝାମଣା ଉପରେ ରୋକ ଲାଗିବା ଦ୍ୱାରା ପଞ୍ଜାବ ପ୍ରଦେଶରେ ଥିବା ୧୭ ଲକ୍ଷ ଏକର ଜମି ପଡ଼ିଆ ପଡ଼ିବ । ଫଳରେ ପାକିସ୍ତାନରେ ଭୟଙ୍କର ମରୁଡି ସ୍ଥିତି ଉପୁଜିପାରେ । ପାକିସ୍ତାନ ପୂର୍ବରୁ ହିଁ ଆର୍ଥିକ ସଙ୍କଟର ସାମ୍ନା କରୁଛି । ଏଭଳିକ୍ଷେତ୍ରରେ ଭାରତର ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନର ଅଣ୍ଟା ଭାଙ୍ଗିଦେଇପାରେ ।
ସେପଟେ ଚୁକ୍ତି ଅନୁସାରେ, ପ୍ରତିବର୍ଷ ସିନ୍ଧୁ ଜଳ ଆୟୋଗର ବୈଠକ ହେବା ଜରୁରି । ଗତବର୍ଷ ଅଗଷ୍ଟରେ ଭାରତ ସିନ୍ଧୁ ଜଳ ସନ୍ଧିର ସମୀକ୍ଷା ଲାଗି ପାକିସ୍ତାନକୁ ଏକ ନୋଟିସ୍ ବି ଦେଇଥିଲା । ସେଥିରେ ପରିସ୍ଥିତିରେ ହୋଇଥିବା ମୌଳିକ ଓ ଅପ୍ରତ୍ୟାଶିତ ପରିବର୍ତ୍ତନ କାରଣରୁ ବୁଝାମଣାର ପୁନଃ ସମୀକ୍ଷା ଜରୁରି ବୋଲି କୁହାଯାଇଥିଲା । ସୀମା ପାରରୁ ହେଉଥିବା ଆତଙ୍କୀ ଆକ୍ରମଣ ଘଟଣା ଏହି ନୋଟିସ୍ର କାରଣ ବୋଲି କିଛି ମିଡିଆ ରିପୋର୍ଟରେ କୁହାଯାଇଥିଲା । ବର୍ତ୍ତମାନ ସେହି ଆତଙ୍କୀ ଆକ୍ରମଣ ଯୋଗୁ ହିଁ ଭାରତ ଏଭଳି କଡା ପଦକ୍ଷେପ ନେଇଛି।