ସୁନ୍ଦରଗଡ଼,୨୪ । ୩(ଆପ୍ର): ସୁନ୍ଦରଗଡ଼ରେ ବିଗତ କିଛି ବର୍ଷ ହେଲା ଶବ ଦାହ ଲାଗି କାଠ ମହଜୁଦ ରହୁ ନାହିଁ। ଅନେକ ସମୟରେ ଜନସାଧାରଣ ଶବ ସତ୍କାର ପାଇଁ ହଇରାଣ ହେଉଛନ୍ତି । ରବିବାର ମଧ୍ୟ ଶବ ଦାହ ପାଇଁ କାଠ ମିଳି ନଥିଲା। ଡିଏଫଓ ପ୍ରଦୀପ ମୀରାସେଙ୍କ ବାସଭବନ ସମ୍ମୁଖରେ ଶବ ରଖି ପ୍ରତିବାଦ କରି ଶ୍ମଶାନରେ ଅତି କମରେ ୨୦ଟି ଶବ ଦାହ ପାଇଁ କାଠ ସବୁବେଳେ ମହଜୁଦ ରଖିବା ଦାବିରେ ଲୋକେ ଧାରଣାରେ ବସି ବିଳମ୍ବିତ ରାତି ପର୍ଯ୍ୟନ୍ତ ଆନ୍ଦୋଳନ କରିଥିଲେ । ପରେ ଝାରସୁଗୁଡ଼ାରୁ କାଠ ଆସିବାରୁ ଶବଦାହ ହୋଇପାରିଥିଲା ।
ଏହି ପରିପ୍ରେକ୍ଷୀରେ ସୋମବାର ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂଙ୍କ ପରାମର୍ଶକ୍ରମେ ବିଜେଡି ବରିଷ୍ଠନେତା ତଥା ବିଧାୟକ ପ୍ରତିନିଧି ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଡିଏଫ୍ଓ ପ୍ରଦୀପ ମୀରାସେଙ୍କୁ ସାକ୍ଷାତ କରିଥିଲେ। ସୁନ୍ଦରଗଡ଼ରେ ଶବଦାହ ବେଳେ କାଠର ଅଭାବ ଲାଗି ଲୋକମାନେ କେତେ ହଇରାଣ ହେଉଛନ୍ତି ସେ ବିଷୟରେ ଜଣାଇଥିଲେ। ଏହାର ପ୍ରତିକାର ତଥା ଶ୍ମଶାନରେ ଯେଭଳି କାଠ ସର୍ବଦା ମହଜୁଦ ରହିବ ସେଥିଲାଗି ବ୍ୟବସ୍ଥା କରିବାକୁ ଦାବି କରିଥିଲେ । ସୁନ୍ଦରଗଡ଼ରେ କାଠ ଗୋଦାମ ଲାଗି ପୂର୍ବତନ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଜଙ୍ଗଲ ଉନ୍ନୟନ ନିଗମ ନାମରେ କାଠ ଗୋଦାମ ପାଇଁ ଜମି ଯୋଗେଇ ଦିଆଯାଇଛି । କିନ୍ତୁ ଦୁଃଖର କଥା ଏହାସତ୍ତେ୍ୱ ଆଜିଯାଏ ଏଠାରେ ନିଗମ ଦ୍ୱାରା କାଠ ଗୋଦାମ ହେଲା ନାହି । କିମ୍ବା ଶବ ଦାହ ଲାଗି ଏଠାରେ କାଠ ସଂରକ୍ଷିତ ରହୁନାହିଁ ବୋଲି ବିଧାୟକ ପ୍ରତିନିଧି ଡିଏଫଓଙ୍କୁ କ୍ଷୋଭର ସହ କହିଥିଲେ ।
ସବୁ ବିଷୟ ଶୁଣିବା ପରେ ଡିଏଫ୍ଓ ଏ ପରିସ୍ଥିତି ଆଉ ଭବିଷ୍ୟତରେ ଉପୁଜିବ ନାହିଁ ବୋଲି କହିଥିଲେ । ଏଥିସହ ତତ୍କ୍ଷଣାତ ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମ ସମ୍ବଲପୁର ଡିଭିଜନର ଅଧିକାରୀଙ୍କୁ ସବୁ ବିଷୟ ଜଣାଇଥିଲେ। ଏଠାରେ ଦୁଇମାସ ପାଇଁ କାଠ ସବୁବେଳେ ସଂରକ୍ଷିତ ରଖିବା ସହିତ କାଠଗୋଦାମ ପାଇଁ ମିଳିଥିବା ଜାଗାରେ ଶୀଘ୍ର ଗୋଦାମ କରିବାକୁ କହିଥିଲେ । ଏହି ପ୍ରତନିଧି ମଣ୍ଡଳୀରେ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ବରିଷ୍ଠ ନେତା ତଥା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପଞ୍ଚା ବାର୍ଲା, ଯୁବନେତା ଅଶୋକ ମହାନ୍ତି ଏବଂ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥତ ଥିଲେ ।