ବାଲିଶଙ୍କରା,୨୭/୩: ଖର୍ଚ୍ଚ କରିବାକୁ ‘ସୁଭଦ୍ରା’ ଟଙ୍କା ଦେଲାନି ସ୍ତ୍ରୀ । ଏହି ସାମାନ୍ୟ କଥାରୁ ସ୍ୱାମୀ ମୁଣ୍ଡରେ ପିତ୍ତ ଚଢ଼ିଗଲା । ମହୁଲ ଫୁଲ ଗୋଟାଇବାକୁ ଯାଇଥିବା ସ୍ତ୍ରୀକୁ ପଥରରେ ଛେଚି ମାରିଦେଲା ନିର୍ଦ୍ଦୟ ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ହୁଟୁପାନି ଗ୍ରାମର ବୁଧବାର ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ମୃତା ହେଲେ ଦୁର୍ଗାବତୀ ସିଂ (୪୫) । ନାରକୀୟ କାଣ୍ଡ ଘଟାଇ ଫେରାର ହୋଇଯାଇଥିବା ଅଭିଯୁକ୍ତ ସ୍ୱାମୀ ରୂପନନ୍ଦ ସିଂ (୫୦)କୁ ପୁଲିସ୍ ଗିରଫ କରିଛି । ବଡ଼ପୁଅ ଚାନ୍ଦପ୍ରସାଦଙ୍କ ଅଭିଯୋଗକ୍ରମେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
ଏହା ମଧ୍ୟ ପଢନ୍ତୁ- ବଦଳିକୁ ରୋକି ଗାଦି ମାଡ଼ି ବସିଛନ୍ତି ଅଧିକାରୀ, କ୍ଷମତା ଉପଭୋଗ କରି ଜନସାଧାରଣଙ୍କୁ କରୁଛନ୍ତି ଶୋଷଣ
ସୂଚନା ଅନୁଯାୟୀ, ଟାଙ୍ଗର ଗାଁ ପଞ୍ଚାୟତ ହୁଟୁପାନି ଗ୍ରାମରେ ରୁହନ୍ତି ରୂପନନ୍ଦଙ୍କ ପରିବାର । ସ୍ତ୍ରୀ ଦୁର୍ଗାବତୀ, ଦୁଇ ପୁଅ ଏବଂ ଗୋଟିଏ ଝିଅ । ଝିଅଙ୍କ ବିବାହ ହୋଇଯାଇଛି । ଏକ ବାଇକ୍ କିଣିବାକୁ ନେଇ ରୂପାନନ୍ଦ ଘରେ ଝଗଡ଼ା କରି ଆସୁଥିଲା । ଧାନ ବିକ୍ରି ଟଙ୍କାରେ ନିକଟରେ ସେ ଏକ ବାଇକ୍ କିଣିଥିଲା । ଇତିମଧ୍ୟରେ ଦୁର୍ଗାବତୀଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଟଙ୍କା ଆସିଥିବାବେଳେ ଏହା ଉପରେ ନଜର ପକାଇଥିଲା ରୂପନନ୍ଦ । ହେଲେ ସ୍ୱାମୀକୁ ଟଙ୍କା ଦେବାକୁ ମନା କରିଦେଇଥିଲେ ଦୁର୍ଗାବତୀ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବୁଧବାର ସକାଳେ ପ୍ରାୟ ୮ଟାରେ ଗାଁ ପାଖ ଜଙ୍ଗଲକୁ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିଲେ ଦୁର୍ଗାବତୀ । ରୂପନନ୍ଦ ସେଠାରେ ପହଞ୍ଚି ଝଗଡ଼ା ଆରମ୍ଭ କରିଥିଲା । କଳି ଉଗ୍ରରୂପ ନେଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ରୂପନନ୍ଦ ଏକ ପଥରରେ ସ୍ତ୍ରୀକୁ ହତ୍ୟା କରି ଫେରାର ହୋଇଯାଇଥିଲା । ସୂଚନା ପାଇ ପୁଅ ଚାନ୍ଦପ୍ରସାଦ ଆସି ଦେଖିବା ବେଳକୁ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା । ତଳସରା ଥାନା ପୁଲିସ୍ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାକୁ ପଠାଇଛି ।