ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବାଂଲାଦେଶ ହିଂସାକାଣ୍ଡ ପରେ ସମର୍ଥକଙ୍କୁ ଶେଖ ହସିନାଙ୍କ ସମ୍ବୋଧନ, 'ସେମାନେ ଘର ଜାଳି ଦେଇପାରିବେ, ଇତିହାସ ନୁହେଁ... ମୋତେ ନ୍ୟାୟ ଦିଅ'

Published By : Prameya | February 6, 2025 8:45 AM

ନୂଆଦିଲ୍ଲୀ, ୦୬/୦୨ : ପୁଣି ଅଶାନ୍ତ ବାଂଲାଦେଶ। ଢାକାରେ ହିଂସାକାଣ୍ଡ ଜାରି ରହିଛି। ବୁଧବାର ରାତିରେ ବିକ୍ଷୋଭକାରୀମାନେ ବାଙ୍ଗାଲାଦେଶର ଜାତୀୟ ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ବାସଭବନରେ ଭଙ୍ଗାରୁଜା କରିବା ସହ ଅଗ୍ନିକାଣ୍ଡ କରିଛନ୍ତି। ଏହି ହିଂସାକାଣ୍ଡ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆୱାମୀ ଲିଗ୍ ପାର୍ଟିର ସମର୍ଥକଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ, 'ତାଙ୍କୁ ହତ୍ୟା କରିବା ପାଇଁ ବାଂଲାଦେଶରେ ଆନ୍ଦୋଳନ କରାଯାଇଥିଲା। ମହମ୍ମଦ ୟୁନୁସ୍ ମୋତେ ଏବଂ ମୋ ଭଉଣୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏହି ଆକ୍ରମଣ ସତ୍ତ୍ଵେ ଆଲ୍ଲାହା ଯଦି ମୋତେ ଜୀବିତ ରଖିଛନ୍ତି ତାହେଲେ କିଛି ବଡ଼ କାମ କରିବାକୁ ବାକି ଅଛି। ସେଥିପାଇଁ ତ ମୁଁ ମରଣ ମୁହଁରୁ ଫେରି ଆସିଲି।' ଫେସବୁକ୍ ଲାଇଭ୍ ଜରିଆରେ ହସିନା ପାର୍ଟିରେ ସଦସ୍ୟଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି। 

ହସିନା ବାଂଲାଦେଶ ଜନତାଙ୍କୁ ପ୍ରଶ୍ନ କରିଛନ୍ତି ଯେ, ମୋ ଘରେ କାହିଁକି ନିଆଁ ଲଗାଇ ଦିଆଗଲା? ମୁଁ ବାଂଲାଦେଶର ଜନତାଙ୍କୁ ନ୍ୟାୟ ମାଗୁଛି। ମୁଁ କଣ ମୋ ଦେଶ ପାଇଁ କିଛି କରିନାହିଁ? ତାହେଲେ ଏତେ ଅପମାନ କାହିଁକି? ମୋର ଏବଂ ମୋ ଭଉଣୀର ଯାହା ସନ୍ତକ ଥିଲା ତାହା ଜଳି ଯାଇଛି। ସେମାନେ ଘର ଜାଳି ଦେଇପାରିବେ... ଇତିହାସ ନୁହେଁ। ରାଷ୍ଟ୍ରୀୟ ଧ୍ଵଜା, ସମ୍ବିଧାନ ଏବଂ ସ୍ଵାଧୀନତାକୁ ଆମେ ଲକ୍ଷ ଲକ୍ଷ ଶହୀଦଙ୍କ ଜୀବନ ମୂଲ୍ୟରେ ହାସଲ କରିଛୁ। ସେମାନେ ଘର ଭାଙ୍ଗି ଦେଇପାରିବେ ଇତିହାସ ନୁହେଁ। ସେମାନେ ମନେ ରଖିବା ଉଚିତ୍ ଯେ, ଇତିହାସ ନିଶ୍ଚିତ ଏହାର ପ୍ରତିଶୋଧ ନେବ। ବୁଲଡୋଜର କେବେ ଇତିହାସକୁ ନଷ୍ଟ କରିପାରିବ ନାହିଁ।  

ଏହି ଖବରଟିକୁ ପଢନ୍ତୁ-Tirupati Temple: ପାଳନ କରୁନଥିଲେ ହିନ୍ଦୁ ଧାର୍ମିକ ପ୍ରଥା, ୧୮ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ତିରୁପତି ମନ୍ଦିର ବୋର୍ଡ

ଢାକା ଟ୍ରିବ୍ୟୁନର ସୂଚନାନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଏକ ଅଭିଭାଷଣ ପରେ ଉପଦ୍ରବୀମାନେ ବୁଧବାର ରାତି ୯ଟାରେ ଧାନମଣ୍ଡି-୩୨ରେ ବୁଲଡୋଜର ମାର୍ଚ୍ଚ କରିବେ ବୋଲି ଘୋଷଣା କରିଥିଲେ। ହେଲେ ପରେ ସେମାନେ ନିଜ ପ୍ଲାନ ବଦଳାଇଦେଲେ ଏବଂ ରାତି ୮ଟାରେ ଶେଖ ହସିନାଙ୍କ ପିତା ତଥା ବାଂଲାଦେଶର ଜାତୀୟ ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ବାସଭବନ ନିକଟରେ ପହଞ୍ଚିଗଲେ। ସେଠାରେ ବିକ୍ଷୋଭକାରୀମାନେ ମେନ୍ ଗେଟ୍ ଦେଇ ଧସେଇ ପଶିଥିଲେ। ମୁଜିବୁର ରହମାନଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗିଦେଇଥିଲେ ଏବଂ ଘରେ ନିଆଁ ଲଗାଇଦେଇଥିଲେ। ଏହି ଘର ବାଂଲାଦେଶର ସ୍ଵାଧୀନତା ସଂଗ୍ରାମର ପ୍ରତୀକ ଥିଲା। ମୁଜିବୁର ରେହମାନ ଏହି ଘରୁ ଦଶନ୍ଧି ପର୍ଯ୍ୟନ୍ତ ସ୍ଵାଧୀନତା ଆନ୍ଦୋଳନର ନେତୃତ୍ଵ ନେଇଥିଲେ। ଶେଖ ହସିନାଙ୍କ ଶାସନ କାଲରେ ଏହି ଘରକୁ ଏକ ସଂଗ୍ରହାଳୟ କରାଯାଇଥିଲା।  

ଗତବର୍ଷ ଅଗଷ୍ଟ ମାସରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଭୟଙ୍କର ରୂପ ନେଇଥିଲା। ଯାହା ପରେ ଶେଷ ହସିନା ଗାଦିଚ୍ୟୁତ ହୋଇ ବାଂଲାଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଏବଂ ଭାରତର ଶରଣ ନେଇଥିଲେ। ଏହାପରେ ୨୦୨୪ ଅକ୍ଟୋବରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ଅନ୍ୟ ୪୫ ଜଣଙ୍କ ବିରୋଧରେ ପ୍ରଥମ ଗିରଫ ପରୱାନା ଜାରି କରାଯାଇଥିଲା । ନଭେମ୍ବର ୧୮ ସୁଦ୍ଧା ହସିନାଙ୍କ ସମେତ ୪୬ ଜଣଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ଟ୍ରିବ୍ୟୁନାଲ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜାନୁଆରୀରେ ପୁଣି ଥରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଥିଲା। ହସିନାଙ୍କୁ ଗିରଫ କରିବା ପାଇଁ ଆଇସିଟି-ବାଂଲାଦେଶ ଇଣ୍ଟରପୋଲର ସହାୟତା ଲୋଡ଼ିଥିଲା। ବାଂଲାଦେଶ ତାଙ୍କ ପ୍ରତ୍ୟାର୍ପଣ ପାଇଁ ଭାରତକୁ ଅନୁରୋଧ କରିଥିଲା।






  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.