ଭୁବନେଶ୍ବର, ୨୬।୨ : ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ବେଳେ ଘଟିଲା ବଡ଼ ଅଘଟଣ । ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଉପରକୁ ଉଠୁଥିବା ବେଳେ ହଠାତ ତଳକୁ ଖସିପଡ଼ିଥିଲେ । ମହାଦୀପ ଉଠିବାକୁ ନେଇ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ଭରି ଯାଇଥିଲା । ଭକ୍ତମାନେ ମହାଦୀପକୁ ଏକ ଲୟରେ ଅନାଇଥିଲେ । ମହାଦୀପକୁ ଦେଖି ଲୋକେ ଭାବବିହ୍ବଳ ହୋଇପଡ଼ିଥିଲେ । କିନ୍ତୁ କେହି କେବେ ବିଶ୍ବାସ କରିନଥିବା ଅଘଟଣଟିଏ ଘଟିଗଲା । ମହାଦେବଙ୍କ ମନ୍ଦିର ଚୂଡ଼ାକୁ ମହାଦୀପ ନେଇ ଯାଉଥିବା ସମର୍ଥା ସେବାୟତ ହଠାତ ଖସିପଡ଼ିଥିଲେ । ଏହା ଦେଖି ସମସ୍ତେ କିଛି କ୍ଷଣ ଅବାକ ହୋଇ ଯାଇଥିଲେ ।
ଏମିତି କଣ ହୋଇଗଲା, ଏତେ ବଡ ଅଘଟଣ କାହିଁକି ଘଟିଲା, କେତେ କଣ ଶଙ୍କା ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କଲା । ସେବାୟତଙ୍କୁ ସାଙ୍ଗେସାଙ୍ଗେ ହସ୍ପିଟାଲ ନିଆଯାଇଥିଲା । ସେପଟେ ଅନ୍ୟ ଜଣେ ସେବାୟତ ମହାଦୀପ ଧରି ଧୀରେ ଧୀରେ ମନ୍ଦିର ଉପରକୁ ଚଢ଼ିଥିଲେ। ଭୟ ଓ ଭକ୍ତିର ପରିବେଶ ମଧ୍ୟ୍ୟରେ ଏଥର କିନ୍ତୁ ଲିଙ୍ଗରାଜଙ୍କ ମହାଦୀପ ଯଥା ସ୍ଥାନରେ ପହଞ୍ଚିଥିଲା । ଭକ୍ତଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲେ ହେଁ କାହିଁକି ଘଟିଲା ଏତେବଡ଼ ଅଘଟଣ ତାକୁ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ । ସେପଟେ ଆହତ ସେବାୟତଙ୍କୁ ହସ୍ପିଟାଲରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଅନ୍ୟପଟେ ମହାଦୀପ ଉଠିବା ବେଳେ ଯେଉଁ ଅଘଟଣ ଘଟିଛି ତାହା ଶ୍ରୀଜିଉଙ୍କ ରଥ ଯାତ୍ରା ସମୟରେ ହୋଇଥିବା ମହା ଅଘଟଣା କଥାକୁ ମନେ ପକାଇ ଦେଇଛି । ତାଳଧ୍ବଜ ରଥରେ ଗୋଟି ପହଣ୍ଡି ସମୟରେ ବଡ଼ଠାକୁର ବଳଭଦ୍ର ଅଣେଇ ହୋଇ ପଡ଼ିଯାଇଥିଲେ । ଏଥିରେ ସେବାୟତମାନେ ଆହତ ମଧ୍ୟ ହୋଇଥିଲେ । ସେତେବେଳେ ଏହି ଅଘଟଣକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ।
ସୂଚନାଯୋଗ୍ୟ, ବୁଧବାର ରାତି୧୦ଟା ୪୧ ମିନିଟରେ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ଉଠିଥିଲା। ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାରେ ସ୍ଥାପନ କରିଥିଲେ। । ପୂର୍ବରୁ ୧୦ଟାରେ ମହାଦୀପ ଉଠିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ଏଥିରେ ସାମାନ୍ୟ ବିଳମ୍ବ ହୋଇଥିଲା। ମହାଦୀପ ଉଠିବା ବେଳେ ହର ହର ମହାଦେବ ଧ୍ବନିରେ ମନ୍ଦିର ପ୍ରକମ୍ପିତ ହୋଇଥିଲା।