ଭୁବନେଶ୍ବର,୨୬।୨: ବ୍ରହ୍ମପୁର ଟାଉନ ଥାନା ଅଞ୍ଚଳରେ ଏକ ମଦ ଦୋକାନରେ ଚଢାଉ କରିବା ସମୟରେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପୋଲିସ ମଦ ଦୋକାନୀଙ୍କୁ ଗିରଫ କରିଛି। ମଦ ଦୋକାନୀ ଜଣକ ହେଲେ ମନୋରଞ୍ଜନ ସାବତ। ଏହି ଆକ୍ରମଣ ଘଟଣାରେ ଗିରଫ ସଂଖ୍ୟା ୭ରେ ପହଞ୍ଚିଛି।
ବ୍ରହ୍ମପୁର ଟାଉନ ଥାନା ଅଞ୍ଚଳ ବି ଏସ ଏନ ଏଲ କାର୍ଯ୍ୟାଳୟ ନିକଟ ମଦ ଦୋକାନରେ ବେଆଇନ କାରବାର ଚାଲୁଥିବା ଖବର ପାଇ ଅବକାରୀ କର୍ମଚାରୀ ଯାଞ୍ଚ ପାଇଁ ଯାଇଥିଲେ। ଏହି ସମୟରେ ଅବକାରୀ କର୍ମଚାରୀ ସବ୍ୟସାଚୀ ମିଶ୍ରଙ୍କୁ ସେଠାରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ପୂର୍ବରୁ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିବା ସହ ମଦ ଦୋକାନକୁ ସିଲ କରିଥିଲା । ଘଟଣାରେ ସମ୍ପୃକ୍ତ ମଦ ଦୋକାନ ମାଲିକ ମିଟୁ ଓରଫ ମନୋରଞ୍ଜନ ସାବତଙ୍କୁ ବୁଧବାର ପୋଲିସ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି।