ଭୁବନେଶ୍ବର,୨୬।୨ : ବାଲିଅନ୍ତା ଥାନା ସାଇଫନ୍ ଛକରେ ନାବାଳକ ଉପରେ ଚଢି ଗଲା କ୍ଷୀର ଗାଡ଼ି । ଘଟଣା ସ୍ଥଳରେ ନାବାଳକ ମୃତ । ନାବାଳକ ଜଣକ ତଳଗଡ ଗ୍ରାମର ୧୨ ବର୍ଷିୟ ରାହୁଲ ସ୍ୱାଇଁ । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ କ୍ଷୀର ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।
ନାବାଳକ ଜଣକ ନିକଟସ୍ଥ ବାଲିଅନ୍ତା ବଜାରକୁ ସାଇକେଲ ରେ ଯାଉଥିଲେ। ଏହି ସମୟରେ କ୍ଷୀର ଗାଡି ତାଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ଘଟିଥିଲା। ଉତ୍ତ୍ୟକ୍ତ ଲୋକମାନେ ହଂସପାଳ - ଅଭୟମୁଖି ରାସ୍ତାକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ବିଧାୟକ ନବ କିଶୋର ମଲ୍ଲିକ, ସରପଞ୍ଚ କୃଷ୍ଣ କେଶବ ଆପଟ, ବାଲିଅନ୍ତା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା, ଏୟାରପୋର୍ଟ ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେର, ପାହାଳ ଥାନା ଅଧିକାରୀ ଅଶ୍ଵିନୀ କୁମାର ଜେନା, ଜିଲ୍ଲା ପରିଷଦ ସଭ୍ୟ ମଙ୍ଗରାଜ ବେହେରା ପହଁଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଛି । ପୋଲିସ ନାବାଳକ ମୃତଦେହ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ ପଠାଇଛି । ଘଟଣା ସ୍ଥଳରୁ ଚାଳକକୁ ନେଇ ଥାନାରେ ଅଟକ ରଖିଛି ବାଲିଅନ୍ତା ପୋଲିସ ।