କୁଜଙ୍ଗ,୨୮/୩ : କୁଜଙ୍ଗ ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏବେ ବିଚିତ୍ର ନୀତି ଦେଖିବାକୁ ମିଳିଛି। କୁଜଙ୍ଗ ତହସିଲ ଅଧୀନରେ ରହିଥିବା ରାହାମା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଉନ୍ନତିକରଣ କାର୍ଯ୍ୟ କରାଯାଇଛି। ତେବେ ଏହି କାର୍ଯ୍ୟରେ ବ୍ୟାପକ ଚଞ୍ଚକତା କରାଯାଇଥିବା ସଙ୍ଗିନ ଅଭିଯୋଗ ଆସିଛି। ଭଙ୍ଗା କାନ୍ଥରେ ରଙ୍ଗ ମାରି ଠିକାଦାର ଲକ୍ଷାଧିକ ଟଙ୍କା ଆତ୍ମସାତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଘଟଣା ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମାନସ ସାହୁ କହିଛନ୍ତି ଯେ, ଏହି ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ମରାମତି କରିବାକୁ ଅର୍ଥ ବ୍ୟୟ ବରାଦ କରାଯାଇ ନାହି ବରଂ ଖାଲି ରଙ୍ଗ ମରା ଓ ଛାତ ଗ୍ରିଡିଂ ପାଇଁ ମାତ୍ର ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତେବେ ଏହି ନିମ୍ନମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ସାଇଲୋ ସରପଞ୍ଚ ସରୋଜ କୁମାର ସେଠୀ ଆପତ୍ତି ଉଠାଇବା ସହିତ କାର୍ଯ୍ୟର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ସୂଚନା ଅନୁଯାୟୀ, କୁଜଙ୍ଗ ତହସିଲ ଅଧୀନ ରାହାମା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଛାତ ଭାଙ୍ଗିବା ସହ କାନ୍ଥ ଫାଟି ଆଁ କରିଥିଲା । ତେବେ ଏହାକୁ ଉନ୍ନତିକରଣ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ି ଉକ୍ତ କାର୍ଯ୍ୟ ପାଇଁ ରାଜ୍ୟ ସରକାର ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରିଥିଲେ । ଏହି କାର୍ଯ୍ୟ କରାଯିବା ନିମନ୍ତେ ବିଭାଗ ପକ୍ଷରୁ ଟେଣ୍ଡର୍ ଆହ୍ୱାନ କରାଯାଇଥିଲା । ତେବେ ବାହାର ଅଞ୍ଚଳର ଠିକାଦାର କାର୍ଯ୍ୟାଦେଶ ପାଇଥିବା ବେଳେ ସେ ନିଜେ କାର୍ଯ୍ୟ ନକରି ଅନ୍ୟ ଜଣେ ଠିକାଦାର କାର୍ଯ୍ୟ ସମ୍ପାଦନା କରିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟାଳୟର ଭଙ୍ଗା ଛାତ ଓ ଫଟା କାନ୍ଥକୁ ମରାମତି ନକରି ସେଥିରେ ରଙ୍ଗ ବୋଳା ଯାଉଥିବା ଦେଖିବାକୁ ମିଳିଛି । ଏହି ଭଙ୍ଗା ଘରେ ରଙ୍ଗ ବୋଳା ଯିବାରୁ ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଉନ୍ନତିକରଣ କାର୍ଯ୍ୟ କେତେ ପରିମାଣର ହେଉଛି, କିଭଳି ଭାବେ କାର୍ଯ୍ୟ ସମ୍ପାଦନା କରାଯିବା ନେଇ କେତେ ଅର୍ଥ ବ୍ୟୟବରାଦ ଅଛି, ତା'ର କୌଣସି ସୂଚନା ଫଳକ କିମ୍ବା ତଥ୍ୟ ଉଲ୍ଲେଖ କରାଯାଇ ନାହି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ମୁହଁ ଖୋଲିଲେ ସେମାନଙ୍କୁ ଧମକ ଚମକ୍ ଦିଆଯାଇ ଚୁପ୍ କରି ଦିଆଯାଉଛି । ଏହି ମନମୁଖି କାର୍ଯ୍ୟ କରାଯାଉଥିବା ପଛର କାରଣ କ'ଣ ବୋଲି ଅଞ୍ଚଳବାସୀ ଜାଣିବାକୁ ଚାହିଁଛନ୍ତି ।