ଫିରିଙ୍ଗିଆ, ୩୧/୦୩ : ଖରାଦିନେ ପଖାଳ ଭାତ ସାଙ୍ଗକୁ ଶାଗ ଭଜା ହେଲେ ଓଡ଼ିଆଙ୍କ ଆତ୍ମତୃପ୍ତି। ତେଣୁ ଖରାଦିନ ଆସିଲେ ବଢେ ଶାଗର ଡିମାଣ୍ଡ୍। ବଜାରରେ ପନିପରିବା ଅପେକ୍ଷା ଶାଗ କିଣିବାକୁ ଅଧିକ ପସନ୍ଦ କରନ୍ତି ଲୋକେ। ସେହିପରି ଖରାଦିନ ଆସିଲେ କନ୍ଧମାଳ ଜିଲ୍ଲାର ପ୍ରାୟ ଅଞ୍ଚଳରେ ବଢିଯାଏ ବରିଡ଼ା ଶାଗର ଚାହିଦା। ଏହି ଶାଗ ଦେଖିବାକୁ ଯେତିକି ଛନଛନିଆ ଖାଇବାକୁ ସେତିକି ସ୍ଵାଦିଷ୍ଟ। ଏଥିରେ ଭିଟାମିନ୍ ବି ଭରପୁର୍। ବିଶେଷ କରି ଖରାଦିନେ ଏହି ଶାଗ ମିଳୁଥିବାରୁ ଅନ୍ୟ ଶାଗ ଅପେକ୍ଷା ବରିଡ଼ା ଶାଗକୁ କିଣି ନିଅନ୍ତି ଲୋକେ। କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ପ୍ରକୃତିର ଅବଦାନ ବରିଡ଼ା ଶାଗ।
ଏପ୍ରିଲ ମାସର ପହିଲି ବର୍ଷାରେ ବରିଡା ଗଛରେ ନୂଆ ପତ୍ର କଅଁଳେ। ବିଶେଷକରି ଜଙ୍ଗଲରେ ଏହି ଗଛ ସବୁ ମିଳୁଥିବାରୁ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇ ବରିଡା ଗଛରେ ଚଢି ତାର କଅଁଳିଆ ପତ୍ରସବୁ ସଂଗ୍ରହ କରି ଆଣନ୍ତି। ନିଜ ଘରେ ରୋଷେଇ କରି ଖାଇବା ସହ ବଳକା ଶାଗ ସବୁକୁ ଗାଁରେ ହେଉ କି ହାଟରେ ନେଇ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର ମଧ୍ୟ କରିଥାନ୍ତି। ବଜାରରେ ବିକ୍ରୟ ପାଇଁ ଆସିଥିବା ବରିଡା ଶାଗ ଦେଖି ଗ୍ରାହକମାନେ ମଧ୍ୟ ଟେକି ନିଅନ୍ତି। ଅଳ୍ପ କିଛି ସମୟ ମଧ୍ୟରେ ସବୁ ବିକ୍ରି ହୋଇଯାଏ। ଏପରିକି ଶାଗ ସରିଗଲେ ପରଦିନ ପାଇଁ ବେପାରୀଙ୍କୁ ଆଗୁଆ ଟଙ୍କା ଦେଇ ବରାଦ ଦିଆଯାଏ। ବରିଡା ଶାଗ ବିକ୍ରୟ କରି ସ୍ଥାନୀୟ ମହିଳାମାନେ ପ୍ରତିଦିନ ୧୦୦ ରୁ ୧୫୦ ଟଙ୍କା ରୋଜଗାର କରୁଛନ୍ତି।
ଶାଗ ବିକୁଥିବା ମାଧୁରୀ ନାୟକ ନାମକ ଜଣେ ମହିଳା କହିଛନ୍ତି ଯେ, ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାରର ବୋଝ ମୋ ଉପରେ ପଡିଛି। ତେଣୁ ରାତି ୪ଟାରୁ ଉଠି ପ୍ରତି ଗାଁ ବୁଲି ଶାଗ ସଂଗ୍ରହ କରେ ଓ ବଜାରରେ ଆଣି ବିକ୍ରି କରେ । ଶାଗ କିଲୋ ପ୍ରତି ୧୩୦ ଟଙ୍କାରେ ବିକ୍ରି କରୁଥିବା ବେଳେ ପାଏକୁ ୩୦ ଟଙ୍କାରେ ବିକ୍ରି କରୁଥିବା ସେ କହିଛନ୍ତି। ଶସ୍ତା ମୂଲ୍ୟରେ ଏହି ଶାଗ ମିଳୁଥିବାରୁ ସ୍ଥାନୀୟ ଲୋକେ ବଡ଼ ସରାଗରେ କିଣନ୍ତି। କିଛି କିଛି ଗ୍ରାହକଙ୍କ କହିବା ପ୍ରକାରେ, କେବଳ ଖରାଦିନେ ହିଁ ଏହି ଶାଗ ଖାଇବାକୁ ମିଳେ ଏବଂ ଅତି ସ୍ୱାଦିଷ୍ଟ ହୋଇଥିବାରୁ ଆମେ ଆଖପାଖରେ ଥିବା ସବୁ ବଜାରକୁ ଯାଇ ଶାଗ ସଂଗ୍ରହ କରିକି ଆଣୁ। ଆଉ କିଛି କିଛି ଗ୍ରାହକ କୁହନ୍ତି, ଗ୍ରାମାଞ୍ଚଳରେ ଯେଉଁମାନେ ପ୍ରାୟ ଜଙ୍ଗଲକୁ ଯାଆନ୍ତି, ଆମେ ତାଙ୍କର ଘରେ ଯାଇ ତାଙ୍କୁ ଆଗତୁରା ଟଙ୍କା ଦେଇଦେଇ ବରିଡା ଶାଗ ଆଣିଦେବ ବୋଲି ଅନୁରୋଧ କରିଥାଉ । କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଲୋକଙ୍କ ପାଇଁ ବର୍ତ୍ତମାନ ଖରାଦିନିଆ ପାଇଁ ପ୍ରିୟ ଶାଗ ବରିଡା ହୋଇଥିବାରୁ ଶାଗ ବେପାରୀମାନେ ମଧ୍ୟ ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି।