ସମ୍ବଲପୁର,୨୮/୦୩: ଶେଷରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ବୁଢ଼ାରଜା ମଣପ୍ପୁରମ୍ ସୁନା ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡକୁ ସମ୍ବଲପୁର ଆଣିଛି ଅଇଁଠାପାଲି ପୁଲିସ୍ । ପଶ୍ଚିମବଙ୍ଗ ପ୍ରେସିଡେନ୍ସି ଜେଲ୍ରେ ଥିବା ସୁବୋଧକୁ ଗତକାଲି ସମ୍ବଲପୁର ଅଣାଯାଇଛି । ପୁଲିସ୍ ଟିମ୍ ତାକୁ ଧରି ଗୁରୁବାର ସକାଳେ ପହଞ୍ଚିଛି । ଶୁକ୍ରବାର ସୁବୋଧକୁ ସମ୍ବଲପୁର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯିବ । ୧୫ ଦିନିଆ ରିମାଣ୍ଡରେ ଆଣିବାକୁ ପୁଲିସ୍ ପକ୍ଷରୁ ଆବେଦନ ହେବ ବୋଲି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ପ୍ରେସିଡେନ୍ସି ଜେଲ୍ରେ ଥିବା ସୁବୋଧ ଆଉ ଏକ ମାମଲାରେ ପଶ୍ଚିମବଙ୍ଗର ଉତ୍ତର ଚବିଶପ୍ରଗଣା ବାରାକପୋରେ କୋର୍ଟରେ ହାଜର ହୋଇଥିଲା । ସେଠାରୁ ସମ୍ବଲପୁର ପୁଲିସ୍ କୋର୍ଟଙ୍କ ଅନୁମତି ନେଇ ସୁବୋଧକୁ ସମ୍ବଲପୁର ଆଣିଛି । ଆସନ୍ତାକାଲି ସମ୍ବଲପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯିବ । ଏହାପରେ ୧୫ ଦିନ ପାଇଁ ରିମାଣ୍ଡ ଅଣାଯାଇ ଘଟଣାର ଅଧିକ ଖୋଳତାଡ଼ କରିବ ପୁଲିସ୍ । ରିମାଣ୍ଡରେ ଆଣିବା ପରେ ଲୁଟ୍ ସୁନା ସମ୍ପର୍କରେ ପଚାରିବେ । ପୂର୍ବରୁ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଆସାମ୍ ଗୌହାଟୀରୁ ଉତ୍ତମ ପାଶୱାନ, ବିହାର ହାଜିପୁରର ଅଜୟ ପାଶୱାନ ଓ ପଙ୍କଜ ପାଶୱାନ(୨୬)କୁ ଗିରଫ କରାଯାଇଥିଲା ।
ବିହାର ନାଳନ୍ଦା ଚିସ୍ତିପୁର ଗାଁର ଅଷ୍ଟମ ପାସ୍ ସୁବୋଧ ସିଂହ ଓରଫ୍ ଦିଲୀପ ସିଂହକୁ ବିହାର ଏସ୍ଟିଏଫ୍ ୨୦୧୮ ମସିହାରେ ଗିରଫ କରିଥିଲା । ସେହି ବର୍ଷ ଜାନୁଆରୀରେ ପାଟନା ଜିଲ୍ଲା ରୁପସାପୁରର ଏକ ଗହଣା ଦୋକାନରୁ ଚୋରି ମାମଲାରେ ତାକୁ ଗିରଫ କରାଯାଇଥିଲା । ସୁବୋଧ ନାଁରେ ମହାରାଷ୍ଟ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ରାଜାସ୍ଥାନରେ ଲୁଟ୍ ମାମଲା ରହିଛି । ଯାହାକି ୧୮୧ କେଜି ସୁନା ଲୁଟ୍ରେ ସମ୍ପୃକ୍ତି ରହିଛି । ଏହି ରାଜ୍ୟର ପୁଲିସ୍ ସୁବୋଧକୁ ବିଭିନ୍ନ ସମୟରେ ଜେରା ପାଇଁ ଜେଲ୍କୁ ଆସିଥିବା ସୂଚନା ରହିଛି । ଗତ ୫ ବର୍ଷ ହେଲା ସେ ଜେଲରୁ ଥାଇ ଏହି ଗ୍ୟାଙ୍ଗକୁ ଚଳାଇ ଆସୁଛି ।
ଗତ ଜାନୁଆରି ୩ ତାରିଖରେ ସମ୍ବଲପୁର ବୁଢ଼ାରଜାରେ ଥିବା ମଣପୁରମ୍ ଗୋଲ୍ଡ ଲୋନ୍ ବ୍ୟାଙ୍କରୁ ସୁନା ଲୁଟ୍ ହୋଇଥିଲା । ୫ ଜଣ ବନ୍ଧୁକ ଦେଖାଇ ଏହି ଲୁଟ୍ କରିଥିଲେ । ଯାହାର ମୂଲ୍ୟ ପାଖାପାଖି ୨୦ କୋଟି ଟଙ୍କାରୁ ଅଧିକ ହେବ । ଏହି ଘଟଣାରେ ୩ ଜଣ ଗିରଫ ହୋଇଥିଲେ ମଧ୍ୟ ସୁନା ଏଯାଏଁ ମିଳିପାରି ନାହିଁ