ବେଙ୍ଗାଲୁରୁ,୨୮/୦୩ : ସୈତାନ ସାଜିଲା ସ୍ବାମୀ । ସାତଜନ୍ମ ପାଇଁ ସାଥୀରେ ରହିବାକୁ କଥା ଦେଇଥିଲା ହେଲେ ଗୋଟିଏ ଜନ୍ମ ବି ପୂରଣ କଲା ନାହିଁ । ସ୍ତ୍ରୀକୁ ହତ୍ୟା କରି ସୁଟକେସରେ ଭର୍ତ୍ତି କଲା । ଶ୍ବଶୁର ଘର ଲୋକଙ୍କୁ ଫୋନ କରି କହିଲା ମୁଁ ତୁମ ଝିଅକୁ ମାରି ଦେଇଛନ୍ତି । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରୁ ଏହି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଅଭିଯୁକ୍ତ ସ୍ବାମୀ ରାକେଶ ମହାରାଷ୍ଟ୍ରର । ସେ ଆଇଟି ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରନ୍ତି । ଗୌରୀ ଗୃହିଣୀ । ସେ ଚାକିରି ଖୋଜୁଥିଲେ । ଦୁଇବର୍ଷ ତଳେ ଦୁହିଁଙ୍କର ବିବାହ ହୋଇଥିଲା । ଅଫିସ୍ କାମ ପାଇଁ ସେ ବେଙ୍ଗାଲୁରୁର ହୁଲିମାଭା ଆସିଥିଲେ । ଦୁହିଁଙ୍କ ମଧ୍ୟରେ ଛୋଟମୋଟ ଝଗଡା ଲାଗୁଥିଲା । ଏହାର ପରିଣାମ ଏତେ ଭୟଙ୍କର ହେବ ବୋଲି କେହି କେବେ କଳ୍ପନା କରିନଥିଲେ । ୩୨ବର୍ଷୀୟ ପତ୍ନୀଙ୍କୁ ଗୌରୀ ଅନୀଲ ସାମ୍ବେଦକରଙ୍କୁ ରାକେଶ ହତ୍ୟା କରି ଫେରାର ହୋଇଥିଲେ । ପତ୍ନୀଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି ସୁଟକେସରେ ଭର୍ତ୍ତି କରିଥିଲେ । ଶ୍ବଶୁର ଘର ଲୋକଙ୍କୁ ଫୋନ୍ କରି ଝିଅକୁ ମାରି ଦେଇଥିବା କଥା କହିଥିଲେ । ଘର ମାଲିକଙ୍କୁ ମଧ୍ୟ ଜଣାଇଥିଲେ । ପରିବାର ଲୋକଙ୍କୁ ତାଙ୍କର ଅନ୍ତିମ ସଂସ୍କାର କରିବାକୁ ଜଣାଇଦେବାକୁ ମାଲିକଙ୍କୁ କହିଥିଲେ ।
ଅଧିକ ପଢନ୍ତୁ...ଚାଞ୍ଚଲ୍ୟ; ସଇତାନ ପାଲଟିଲା ସ୍ବାମୀ, ସ୍ତ୍ରୀକୁ ମାରି ପ୍ରେସରକୁକରରେ ସିଝେଇଲା
ପୋଲିସର ସୂଚନାଅନୁସାରେ, ସୁଟକେସରେ ଥିବା ମୃତଦେହ ଗୌରୀଙ୍କର । ତାଙ୍କ ଶରୀର କ୍ଷତ ଚିହ୍ନ ରହିଛି । ସ୍ବାମୀ ରାକେଶ ହତ୍ୟା କରିଥିବା ନେଇ ସ୍ବୀକାର କରିଛନ୍ତି । ସେ ଅପରାଧ ଘଟାଇ ପୁନେ ଫେରାର ହେଉଥିବା ବେଳେ ଗିରଫ ହୋଇଛନ୍ତି । ତାଙ୍କ ଫୋନ୍ ନମ୍ବର ଟ୍ରେସ କରାଯାଇ ସତାରା ନିକଟରୁ ତାଙ୍କୁ ଗିରଫ କରାଯାଇଛି । ହତ୍ୟା ଘଟଣାର ୨୪ ଘଣ୍ଟା ଭିତରେ ପୋଲିସ ରାକେଶଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଗତକାଲି (ଗୁରୁବାର) ଅପରାହ୍ନରେ ଘର ମାଲିକ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଘଟଣା ବାବଦରେ ଜଣାଇଥିଲେ । ଘଟଣାର ତଦନ୍ତ ଜାରି ରହିଛି । ଆଜି (ଶୁକ୍ରବାର) ରାକେଶଙ୍କୁ କୋର୍ଟରେ ହାଜର କରାଯିବ ।
ୟୁପି ମିରଟରେ କିଛି ଦିନ ତଳେ ପତ୍ନୀ ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରିଥିଲେ । ମୃତଦେହକୁ ଖଣ୍ଡ ଖଣ୍ଡ କରି ଡ୍ରମରେ ରଖିଥିଲେ । ସେଥିରେ ସିମେଣ୍ଟ ଦେଇଥିଲେ । ଏ ଘଟଣା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏବେ ଆଉ ଏକ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ।