ନୂଆଦିଲ୍ଲୀ: ସାଇବର ଠକଙ୍କ ଜାଲରେ ପଡି ୫୦ ଲକ୍ଷ ହରାଇବା ପରେ କର୍ଣ୍ଣାଟକର ଏକ ବୃଦ୍ଧ ଦମ୍ପତ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି। ବେଲଗାଭି ଜିଲ୍ଲାର ୮୫ ବର୍ଷିୟ ଡିୟାଙ୍ଗୋ ନଜରାତ ନିଜ ଗଳା କାଟି ଓ ତାଙ୍କ ୭୯ ବର୍ଷିୟା ପତ୍ନୀ ପ୍ଲେଭିଏନା ନଜରାତ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେମାନେ ଏକ ସୁଇସାଇଡ ନୋଟ ମଧ୍ୟ ଛାଡିଦେଇ ଯାଇଛନ୍ତି। ସେମାନଙ୍କୁ କେତେକ ସାଇବର ଠକ ଦିଲ୍ଲୀ କ୍ରାଇମବ୍ରାଞ୍ଚ ନାଁରେ ଧମକଚମକ ଦେବା ପରେ ସେମାନେ ଡରରେ ଆତ୍ମହତ୍ୟା କରିଛନ୍ତି ବୋଲି ଏହି ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି।
ପୋଲିସ ପ୍ରଦାନ କରିଥିବା ସୂଚନା ଅନୁସାରେ, ଦମ୍ପତ୍ତି ଦ୍ୱୟ ପୂର୍ବରୁ ମହାରାଷ୍ଟ୍ର ସେକ୍ରେଟେରିଏଟରେ କାର୍ଯ୍ୟ କରୁଥିଲେ। ସାଇବର ଠକମାନେ ଭିଡିଓ କଲ ଜରିଆରେ ବୃଦ୍ଧ ଦମ୍ପତ୍ତିଙ୍କ ସହ ଯୋଗାଯୋଗ କରିଥିଲେ। ଦମ୍ପତ୍ତି ଦ୍ୱୟଙ୍କୁ ଠକମାନେ ଏକ ମାମଲାରେ ଜଡିତ ଥିବା ନେଇ ମିଛ କଥା କହିଥିଲେ। ଏଣୁ ସେମାନେ ଏହି ମାମଲାରେ ସମାଧାନ କରିବା ପାଇଁ ତାଙ୍କୁ ୫ ଲକ୍ଷ ଟଙ୍କା ସେଟଲମେଣ୍ଟ ଫି ଦେବାକୁ କହିଥିଲେ।
ଦମ୍ପତ୍ତି ଦ୍ୱୟ ସାଇବର ଠକଙ୍କ କଥାରେ ପଡି ସେମାନଙ୍କ ଦାବି ମୁତାବକ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ତେବେ ଏହା ପରେ ମଧ୍ୟ ଠକ ମାନଙ୍କ ନିର୍ଯାତନା ଅଟକି ନଥିଲା। ସେମାନେ ବୃଦ୍ଧ ଦମ୍ପତ୍ତି ଦ୍ୱୟଙ୍କୁ ଆହୁରି ଅଧିକ ଡରାଇବା ସହ ସେମାନଙ୍କ ନିକଟରୁ ଅଧିକ ଟଙ୍କା ଦାବି କରିଥିଲେ। ଠକମାନଙ୍କ ପ୍ରରୋଚନାରେ ପଡି ଦମ୍ପତ୍ତି ସେମାନଙ୍କୁ ପ୍ରାୟ 50 ଲକ୍ଷ ଟଙ୍କା ପ୍ରଦାନ କରିସାରିଥିଲେ। ତେବେ ବୃଦ୍ଧ ଦମ୍ପତ୍ତି ଦ୍ୱୟଙ୍କ ନିକଟରେ ସେମାନଙ୍କ ପିଲା କିମ୍ୱା ପରିବାର ନଥିବାରୁ ସେମାନେ ଏହା ବିଷୟରେ କାହାକୁ ସୂଚନା ଦେଇପାରି ନଥିଲେ।
ପୋଲିସ ନିଜଆଡୁ ଏକ ହତ୍ୟା ମାମଲା ରୁଜୁ କରିବା ସହ ଦମ୍ପତ୍ତିଙ୍କ ଦ୍ୱାରା ଲିଖିତ ସୁଇସାଇଡ ନୋଟ ଓ ସେମାନଙ୍କ ଫୋନ ଜବତ କରିଛି। ସେମାନଙ୍କ ମୃତଦେହକୁ ବେଲଗାଭି ବିଆଇଏମଏସ ଡାକ୍ତରଖାନାକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି। ପୋଲିସ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହ ସେମାନେ ସାଇବର ଠକଙ୍କୁ କେତେ ଟଙ୍କା ଦେଇଛନ୍ତି ତାହା ଅନୁଧ୍ୟାନ କରୁଛି। ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାମଲା ଓ ଏହାର ଯାଞ୍ଚ ଜାରି ରହିଛି ବୋଲି ଜମେ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛିନ୍ତି।