ନୂଆଦିଲ୍ଲୀ: ଶିବସେନା(ୟୁବିଟି)ର ମୁଖ୍ୟ ସଞ୍ଜୟ ରାଉତଙ୍କ ବିସ୍ପୋରକ ବୟାନ। କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ୱର ମାସରେ ଅବସର ନେବାକୁ ଚିନ୍ତା କରୁଛନ୍ତି। ଏହି ପରିପ୍ରେକ୍ଷିରେ ସେ ନାଗପୁରସ୍ଥିତ ଆରଏସଏସ ମୁଖ୍ୟାଳୟ ପରିଦର୍ଶନରେ ଆସିଥିଲେ। ରାଉତ ଦାବି କରି କହିଛନ୍ତି ଯେ ପିଏମ ମୋଦି ଦୀର୍ଘ ୧୦-୧୧ ବର୍ଷ ହେବ ଆରଏସଏସ ମୁଖ୍ୟାଳୟ ପରିଦର୍ଶନରେ ଆସିନଥିଲେ। କିନ୍ତୁ ବର୍ତ୍ତମାନ ଦଳର ମୁଖ୍ୟ ମୋହନ ଭଗୱତଙ୍କୁ “ଟାଟା, ବାଏ, ବାଏ”କରିବାକୁ ସେ ନାଗପୁର ଗସ୍ତ କରିଥିଲେ।
ସଞ୍ଜୟ ରାଉତ ମୁମ୍ୱାଇରେ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ “ମୋ ଜାଣିବାରେ ସଂପୂର୍ଣ୍ଣ ସଂଘ ପରିବାର ବର୍ତ୍ତମାନ ଦେଶର ନେତୃତ୍ତ୍ୱକୁ ବଦଳାଇବାକୁ ଚାହୁଁଛି। ପିଏମ ମୋଦିଙ୍କର ସମୟ ସରିଗଲାଣି। ସଂଘ ପରବର୍ତ୍ତି ବିଜେପି ମୁଖ୍ୟଙ୍କୁ ଚୟନ ମଧ୍ୟ କରିସାରିଲାଣି।” ଅନ୍ୟପଟେ, ବିଭିନ୍ନ ବରିଷ୍ଠ ବିଜେପି ନେତା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ସଞ୍ଜୟ ରାଉତଙ୍କ ଏହି ଦାବିକୁ ଖଣ୍ଡନ କରିଛନ୍ତି। ସେମାନେ ଏଥିରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପିଏମ ମୋଦି ଆହୁରି ଅନେକ ବର୍ଷ ଧରି ଦେଶର ପ୍ରତିନିଧିତ୍ତ୍ୱ କରିବେ।
ପିଏମ ମୋଦିଙ୍କ ନାଗପୁର ସ୍ଥିତ ଆରଏସଏସ ମୁଖ୍ୟାଳୟ ଗସ୍ତର ଗୋଟିଏ ଦିନ ପରେ ସଞ୍ଜୟ ରାଉତ ଏପରି ଦାବି କରିଛନ୍ତି। ଏହା ପିଏମ ମୋଦିଙ୍କ ଦ୍ୱିତୀୟ ଆଧିକାରିକ ଗସ୍ତ। ଏହା ପୂର୍ବରୁ ସେ ଆଉଥରେ ସଂଘ ମୁଖ୍ୟାଳୟ ଗସ୍ତ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟଳ ବିହାରୀ ବାଜପେୟି ଗତ ୨୦୦୦ ମସିହାରେ ନିଜ ତୃତୀୟପାଳିରେ ସଂଘ ମୁଖ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଗସ୍ତ ଅବସରରେ ପିଏମ ମୋଦି ଭାରତୀୟ ସଂସ୍କୃତି ଓ ଆଦର୍ଶକୁ ବଞ୍ଚାଇ ରଖିବା ପାଇଁ ସଂଘ ଏକ ବରଗଛ ଭଳି କାମ କରେ ବୋଲି କହିଥିଲେ।
ପିଏମ ମୋଦି ସକାଳ ସମୟରେ ରେଶମିବାଗ ଅଞ୍ଚଳରେ ଥିବା ଡଃ. ହେଡଗେୱାର ସ୍ମୃତି ମନ୍ଦିରକୁ ଭ୍ରମଣ କରିବାକୁ ଯାଇଥିଲେ। ସେଠାରେ ଆରଏସଏସ ସଂସ୍ଥାପକ କେଶବ ବଳିରାମ ହେଡଗେୱର ଓ ସଂଘ ପରିଚାଳକ ଗୋଲୱାଲକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।