ନୂଆଦିଲ୍ଲୀ,୧।୪: ଲୋକସଭାରେ ବୁଧବାର ଓ୍ବାକଫ୍ ସଂଶୋଧନ ବିଲ୍ ଉପରେ ଭୋଟିଂ ହେବାର ଅଛି। ଏଥିପାଇଁ ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାର ପ୍ରସ୍ତୁତି ଆରମ୍ଭ କରିଛି। ଏପରିକି ବିଜେପି ମଙ୍ଗଳବାର ଏକ ହ୍ବିପ୍ ଜାରି କରିଛି। ନିଜର ସବୁ ସାଂସଦଙ୍କୁ ଲୋକସଭାରେ ଉପସ୍ଥିତ ରହିବାକୁ କହିଛି। ପାର୍ଟି ପକ୍ଷରୁ ଜାରି ହ୍ବିପ୍ରେ କୁହାଯାଇଛି ବୁଧବାର ଗୃହରେ ଅତି ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିବ। ତାକୁ ପାସ୍ କରିବା ପାଇଁ ସବୁ ଲୋକ ପାର୍ଟିର ସମର୍ଥନ ଓ ଭୋଟିଂ କରନ୍ତୁ। ହ୍ବିପ୍ରେ ସବୁ ସାଂସଦ ପୁରା ଦିନ ଗୃହରେ ଉପସ୍ଥିତ ରହିବାକୁ କୁହାଯାଇଛି। ବିଜେପି ପାଖରେ ଲୋକସଭାର ୨୪୦ ସାଂସଦ ଅଛନ୍ତି।
ସରକାର ଜେଡିୟୁ ଓ ଟିଡିପି ଉପରେ ନିର୍ଭର କରନ୍ତି। ଏବେ ଦେଖିବାକୁ ପଡିବ ଏହି ବିଲ୍କୁ ନେଇ କେଉଁ ଦଳର କ’ଣ ରହିଛି ଆଭିମୁଖ୍ୟ। ଏପର୍ଯ୍ୟନ୍ତ ଚିରାଗ ପାସଓ୍ବାନଙ୍କ ପାର୍ଟି ଏଲଜେପି ପକ୍ଷରୁ ଖୋଲାଖୋଲି ସମର୍ଥନ କରାଯାଇନି, କିନ୍ତୁ ବିରୋଧିଙ୍କୁ ମୁସଲମାନଙ୍କୁ ନଡରାଇବାକୁ ପରାମର୍ଶ ଦେଇଛନ୍ତି। ଏଭଳି ଭାବରେ ଜେଡିୟୁର ପକ୍ଷ ମଧ୍ୟ ସ୍ପଷ୍ଟ ହୋଇନି। ଲଲନ ସିଂହ କହିଛନ୍ତି, ଆମେ ଲୋକସଭାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବୁ। ଏହି କାରଣରୁ ସସପେନ୍ସ ମଧ୍ୟ ବଢିଯାଇଛି। ସେଭଳି ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରେନ୍ ରିଜିଜୁ ସରକାରଙ୍କୁ ନିଜର ସହଯୋଗୀ ଦଳ ବ୍ୟତୀତ ବିରୋଧିଙ୍କ କିଛି ସାଂସଦଙ୍କ ସମର୍ଥନ ରହିଛି।
ମଙ୍ଗଳବାର ସଂସଦରେ ୮ ଘଣ୍ଟାର ପ୍ରସ୍ତାବିତ ଚର୍ଚ୍ଚା ପରେ ସଂଖ୍ୟାଲଘୁ କାର୍ଯ୍ୟମନ୍ତ୍ରୀ କିରେନ୍ ରିଜିଜୁ ଉତ୍ତର ଦେବେ। ଏହି ବିଲ୍କୁ ପାସ୍ କରିବା ପାଇଁ ଗୃହରୁ ମଞ୍ଜୁରୀ ନେବେ। ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ ମନ୍ତ୍ରଣା କମିଟିର ବୈଠକରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଛି। ଗତ ବର୍ଷ ବିଲ ଆଗତ କରିବା ସମୟରେ ସରକାର ଏହାକୁ ଦୁଇ ଗୃହର ଏକ ମିଳିତ କମିଟିକୁ ପଠାଇବାର ପ୍ରସ୍ତାବ ରଖିଥିଲେ। କମିଟି ଦ୍ବାରା ରିପୋର୍ଟ ପ୍ରସ୍ତୁତ କରାଯିବା ପରେ ଏହାର ସୁପାରିଶ ଆଧାରରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୂଳ ବିଲ୍ରେ କିଛି ପରିବର୍ତ୍ତନକୁ ମଞ୍ଜୁରୀ ଦେଇଥିଲା।