ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି(ଏସପି)ର ସଭାପତି ଅଖିଲେଶ ଯାଦବ ରବିବାର ତାଙ୍କ ଦଳର ସାଂସଦ ରାମଜୀଲାଲ ସୁମନଙ୍କ ବିଵାଦୀୟ ବୟାନକୁ ସମର୍ଥନ କରିଛନ୍ତି। ସୁମନ ସଂସଦରେ ୧୬ଶ ଶତାବ୍ଦୀର ରାଜପୁତ ରାଜା ରାଣା ସାଙ୍ଗାଙ୍କୁ ‘ବିଶ୍ୱାସଘାତକ’ ବୋଲି କହିଥିଲେ। ଏହି ମନ୍ତବ୍ୟକୁ ନେଇ ଉଠିଥିବା ବିବାଦକୁ ଅଖିଲେଶ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ଯଦି ବିଜେପିର ନେତାମାନେ ଇତିହାସରେ ଔରଙ୍ଗଜେବ ଭଳି ବ୍ୟକ୍ତିଙ୍କୁ ନେଇ ଆଲୋଚନା କରିପାରନ୍ତି, ତେବେ ସୁମନଙ୍କ ଦାବିର ମଧ୍ୟ ଏକ ଐତିହାସିକ କାରଣ ରହିଛି।
ରାଜ୍ୟସଭାରେ ନିଜ ମନ୍ତବ୍ୟ ରଖି ମାର୍ଚ୍ଚ ୨୧ ତାରିଖରେ ସୁମନ କହିଥିଲେ ଯେ, “ଭାରତୀୟ ମୁସଲମାନମାନେ ବାବରଙ୍କୁ ଆଦର୍ଶ ମାନନ୍ତି ନାହିଁ। ସେମାନେ ପ୍ରଫେଟ ମହମ୍ମଦ ଓ ସୂଫୀ ପରମ୍ପରାକୁ ଅନୁସରଣ କରନ୍ତି। କିନ୍ତୁ ବାବରଙ୍କୁ ଭାରତକୁ କିଏ ଆଣିଥିଲା? ଇବ୍ରାହିମ ଲୋଦୀଙ୍କୁ ପରାସ୍ତ କରିବା ପାଇଁ ରାଣା ସାଙ୍ଗା ବାବରଙ୍କୁ ଆମନ୍ତ୍ରଣ କରିଥିଲେ। ତେଣୁ ଯଦି ମୁସଲମାନମାନଙ୍କୁ ବାବରଙ୍କ ବଂଶଧର କୁହାଯାଏ, ତେବେ ହିନ୍ଦୁମାନେ ମଧ୍ୟ ବିଶ୍ୱାସଘାତକ ରାଣା ସାଙ୍ଗାଙ୍କ ବଂଶଧର ବୋଲି ଗଣାଯିବା ଦରକାର।”
ଏହି ବୟାନକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ନେତା ଅମିତ ମାଲଭିୟା କହିଛନ୍ତି, “ଅଖିଲେଶ ଯାଦବ, ଯିଏ ତୁଷ୍ଟିକରଣ ରାଜନୀତିରେ ଲିପ୍ତ। ସେ ତାଙ୍କ ସାଂସଦ ରାମଜୀଲାଲଙ୍କୁ ସମର୍ଥନ କରୁଛନ୍ତି। ଯିଏ ମହାନ ଯୋଦ୍ଧା ରାଣା ସାଙ୍ଗାଙ୍କୁ ବିଶ୍ୱାସଘାତକ କହିଛନ୍ତି। ଏହା କେବଳ ରାଜପୁତ ସମ୍ପ୍ରଦାୟ ନୁହେଁ, ସମଗ୍ର ହିନ୍ଦୁ ସମାଜ ପାଇଁ ଅପମାନଜନକ।” ବିଜେପି ଏହାକୁ ଏସପିର ‘ହିନ୍ଦୁ ବିରୋଧୀ’ ମନୋଭାବ ବୋଲି ଅଭିଯୋଗ କରିଛି।
ଅଖିଳେଶ ଯାଦବ ଏକ କାର୍ଯ୍ୟାନୁଷ୍ଟାନରେ ଯୋଗଦେଇ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, “ସମସ୍ତେ ଇତିହାସର ପୃଷ୍ଠା ଖୋଲୁଛନ୍ତି। ବିଜେପି ନେତାମାନଙ୍କୁ ପଚାରନ୍ତୁ। ସେମାନେ କେଉଁ ପୃଷ୍ଠା ଖୋଲୁଛନ୍ତି। ଯଦି ରାମଜୀଲାଲ ସୁମନ ଇତିହାସର ଏକ ପୃଷ୍ଠାରୁ କିଛି ତଥ୍ୟ ଉଲ୍ଲେଖ କରିଛନ୍ତି, ତେବେ ଏଥିରେ ଅସୁବିଧା କ’ଣ?”
ଏହି ବିବାଦ ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ସୁମନଙ୍କ ମନ୍ତବ୍ୟକୁ ‘ଲଜ୍ଜାଜନକ’ ବୋଲି କହି ତାଙ୍କଠାରୁ କ୍ଷମା ମାଗିବାକୁ ଦାବି କରିଛି। ଆପଣଙ୍କୁ ଜଣାଇରଖୁ ଯେ ଖ୍ରିଷ୍ଟାବ୍ଦ ୧୫୦୮ରୁ ୧୫୨୮ ପର୍ଯ୍ୟନ୍ତ ମେୱାରର ଶାସକ ଭାବେ ରାଣା ସାଙ୍ଗା ଶାସନ ଭାର ସମ୍ଭାଳିଥିଲେ। ରାଜପୁତ ସମ୍ପ୍ରଦାୟଙ୍କ ମଧ୍ୟରେ ଏକ ବିଶିଷ୍ଟ ଯୋଦ୍ଧା ଭାବେ ସାଙ୍ଗାଙ୍କର ସୁପ୍ରସିଦ୍ଧି ରହିଛି।