ନୂଆଦିଲ୍ଲୀ: ରୁଷ ୟୁକ୍ରେନ ଉପରେ ଆଉ ଏକ ବଡ଼ ଆକ୍ରମଣ କରିଛି। ଶନିବାର ବିଳମ୍ବିତ ରାତିରେ ଖାରକିଭରେ ଏକ ସାମରିକ ହସ୍ପିଟାଲ, ସପିଂ ସେଣ୍ଟର, ଆପାର୍ଟମେଣ୍ଟ ବ୍ଲକ ଏବଂ ଅନ୍ୟାନ୍ୟ କୋଠା ଉପରେ ଡ୍ରୋନ ଆକ୍ରମଣ କରିଛି । ଏହି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ଜଣ ଆହତ ହୋଇଛନ୍ତି । ୟୁକ୍ରେନୀୟ ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି। ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହରରେ ହୋଇଥିବା ଆକ୍ରମଣରେ ଜଣେ ୬୭ ବର୍ଷୀୟ ପୁରୁଷ ଏବଂ ଜଣେ ୭୦ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି ବୋଲି ଆଞ୍ଚଳିକ ରାଜ୍ୟପାଳ ଓଲେହ ସିନିହୁବୋଭ କହିଛନ୍ତି।
ୟୁକ୍ରେନର ଜେନେରାଲ ଷ୍ଟାଫ୍ ସାମରିକ ହସ୍ପିଟାଲ ଉପରେ ଏହି "ଇଚ୍ଛାକୃତ ଗୁଳିବର୍ଷଣ"କୁ ନିନ୍ଦା କରିଛନ୍ତି । ଏଥିରେ କୁହାଯାଇଛି ଯେ, ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ "ଚିକିତ୍ସିତ ହେଉଥିବା ସୈନିକ" ମଧ୍ୟ ଅନ୍ତର୍ଭୁକ୍ତ। ଏହି ସମୟରେ, ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଛଅଟି ୟୁକ୍ରେନୀୟ ଡ୍ରୋନକୁ ଖସାଇ ଦେଇଛି। ୟୁକ୍ରେନିୟ ସରକାର ଏବଂ ସାମରିକ ବିଶ୍ଳେଷକଙ୍କ ଅନୁଯାୟୀ, ୟୁକ୍ରେନ ଉପରେ ଚାପ ବୃଦ୍ଧି କରିବା ଏବଂ ଯୁଦ୍ଧବିରତି ଆଲୋଚନାରେ କ୍ରେମଲିନର ସ୍ଥିତିକୁ ମଜବୁତ କରିବା ପାଇଁ ଏହି କାର୍ଯ୍ୟ କରାଯାଇଛି । ଏଥିସହ ରୁଷୀୟ ସୈନ୍ୟବାହିନୀ ଆଗାମୀ ସପ୍ତାହ ଗୁଡ଼ିକରେ ଏକ ନୂତନ ସାମରିକ ଆକ୍ରମଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଛି।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୦୨୨ ମସିହାରେ ଆରମ୍ଭ ହୋଇଥିଲା। ନାଟୋରେ ଯୋଗଦାନ ପାଇଁ ୟୁକ୍ରେନର ଜିଦ୍ ଯୋଗୁଁ, ରୁଷ ୨୪ ଫେବୃଆରୀରେ ୟୁକ୍ରେନ ଉପରେ ପ୍ରଥମ ଆକ୍ରମଣ ଆରମ୍ଭ କରିଥିଲା। ଏହି ଯୁଦ୍ଧ ୩ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଉଭୟ ପାର୍ଶ୍ୱରେ ହଜାର ହଜାର ସୈନିକ ଏବଂ ଲୋକମାନେ ମୃତ୍ୟୁବରଣ କରିଛନ୍ତି। ଯୁଦ୍ଧରେ ୟୁକ୍ରେନ ସବୁଠାରୁ ଅଧିକ କ୍ଷତି ସହିଛି ।