ଚନ୍ଦନେଶ୍ୱର,୨୬/୩ : ଭୂତକୋଠି ପାଲଟିଛି ସରକାରୀ ବଙ୍ଗଳା । ୫୦ ଲକ୍ଷରୁ ଊଦ୍ଧ ଟଙ୍କାରେ ନିମିର୍ତ ଏହି ବଙ୍ଗଳାକୁ ୨୦୧୦ରୁ ଏ ପର୍ଯ୍ୟନ୍ତ ଥରେ ମଧ୍ୟ ବିଭାଗୀୟ ଅଧିକାରୀ ଆସିଲେ ନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି ଘର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୋଗରାଇ ବ୍ଲକରେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି ଏହି ବଙ୍ଗଳା । ଗ୍ରାମ୍ୟ ଉନ୍ନୟନ ବିଭାଗର ଅନୁମିତି କ୍ରମେ ଭୋଗରାଇର ଦେହୁର୍ଦ୍ଦା ପଞ୍ଚାୟତ ଅଧୀନ କେନ୍ଦ୍ର ସ୍ଥଳ ଥାନା ଛକ ନିକଟରେ ପ୍ରାୟ ୫୦ଲକ୍ଷ ବ୍ୟୟ ଅଟକଳରେ ଏକ ବଙ୍ଗଳା ନିର୍ମାଣ ହେଲା । ୨୦୧୦ରେ ତତ୍କାଳୀନ ଭୋଗରାଇ ବିଧାୟକ ଅନନ୍ତ ଦାସ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରିଙ୍କ ଦ୍ୱାରା ଏହା ଉଦ୍ଘାଟନ ହୋଇଥିଲା । ମାତ୍ର ଏପର୍ଯ୍ୟନ୍ତ ତାହା କାମରେ ଆସୁନାହିଁ ।
ବିଭାଗୀୟ ଏସଡିଓ କିମ୍ବା କନିଷ୍ଠ ଯନ୍ତ୍ରୀ ଏଠାରେ ଏକ ରାତି ବି କଟାଇ ନାହାନ୍ତି । ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଠିକାଦାର ସଂସ୍ଥାଙ୍କ ନିମନ୍ତେ ଏହା ଆଶ୍ରୟସ୍ଥଳୀ ପାଲଟିଥିବା ଚର୍ଚ୍ଚା ହୁଏ । ୧୫ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଏହି ଗୃହ ଅପରିତ୍ୟକ୍ତ ଅବସ୍ଥାରେ ରହିଛି । ବିଭିନ୍ନ ଅନାବନା ଗଛରେ ପୂରିଲାଣି ପରିସର । ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଇଥିଲେ ମଧ୍ୟ ଉଦ୍ଦେଶ୍ୟ ସଫଳ ନହେବା ପରିତାପର ବିଷୟ ପାଲଟିଛି । ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ୟାମଳ କିସ୍କୁ କହନ୍ତି ତାହା ବିଭାଗର ଅତିଥି ଗୃହ । ବିଭାଗ ଅଧୀନରେ କୌଣସି ଅତିଥି ଆସିଲେ ରହିବେ । ଏହାର ରକ୍ଷଣାବେକ୍ଷଣ ଆମ ହାତରେ ରହିଛି । ତେବେ ସରକାରୀ ଅର୍ଥର ଏଭଳି ଦୁରୁପଯୋଗ ନକରି ଏହା ବ୍ୟବହାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।