ସାଣ୍ଟୋ ଡୋମିଙ୍ଗୋ,୦୯ /୦୪: କାରିବିୟାନ ଦେଶ ଡୋମିନିକାନ ରିପବ୍ଲିକ୍ରେ ବଡ଼ ଅଘଟଣ ଘଟିଛି । କନର୍ସଟ ଚାଲିଥିବା ବେଳେ ନାଇଟ୍ କ୍ଲବ୍ର ଛାତ ଭୁଶୁଡ଼ି ପଡ଼ିବାରୁ ୭୯ ଜଣଙ୍କର ମୃତ୍ୟୁ ହୋଇଛି । ଶତାଧିକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଏମ୍ଏଲବି ଷ୍ଟାରଙ୍କ ସମେତ ପ୍ରସିଦ୍ଧ ସିଙ୍ଗରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିଛି ହାଇପ୍ରୋଫାଇଲ ବ୍ୟକ୍ତି ଅଘଟଣର ଶିକାର ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଦେଶର ରାଜଧାନୀ ସାଣ୍ଟୋ ଡୋମିଙ୍ଗୋରେ ଥିବା ଜେଟ୍ ସେଟ୍ ନାଇଟ୍ କ୍ଲବ୍ରେ ଏହି ଅଘଟଣ ଘଟିଛି । ଛାତ ଭୁଶୁଡ଼ିବା କାରଣ ଅସ୍ପଷ୍ଟ ରହିଛି । ଘଟଣାର ଉଚ୍ଚସ୍ତରୀୟ ଦତନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ଏମର୍ଜେନ୍ସି ଅପରେସନ୍ସ ସେଣ୍ଟରର ନିର୍ଦ୍ଦେଶକ ଜୁଆନ ମାନୁଏଲ୍ ମେଣ୍ଡେଜ୍ କହିଛନ୍ତି, ଅତିକମ୍ରେ ୩୦୦ ଲୋକ ନାଇଟ୍ କ୍ଲବ୍ରେ ଥିଲେ । କଳାକାର ରୁବୀ ପରେଜ ଓ ତାଙ୍କ ଅର୍କେଷ୍ଟ୍ରା ମଞ୍ଚରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରି ଲୋକଙ୍କର ମନୋରଞ୍ଜନ କରୁଥିଲେ। ନାଚଗୀଚରେ ସମସ୍ତେ ମସଗୁଲ ଥିବା ବେଳେ ଘଟିଯାଇଥିଲା ଅଘଟଣ । ତେବେ ସ୍ଥାନୀୟ ସମୟ ରାତି ପ୍ରାୟ ୧ଟାରେ କ୍ଲବ୍ର ଛାତ ଅଚାନକ ଭୁଶୁଡ଼ି ପଡ଼ିଥିଲା । ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା । ପାଖାପାଖି ୧୫୫ ଆହତଙ୍କୁ ଚିିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଘଟଣ ପରେ, ଆଖପାଖ ଅଞ୍ଚଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକମାନେ ସେମାନଙ୍କର ବନ୍ଧୁ ଏବଂ ସମ୍ପର୍କୀୟ ମାନଙ୍କୁ ଖୋଜିଥିଲେ ।
ଡୋମିନିକାନ ରାଷ୍ଟ୍ରପତି ଲୁଇସ୍ ଅବିନାଦର ମଙ୍ଗଳବାର ନାଇଟ୍ କ୍ଲବ୍ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । ହସ୍ପିଟାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଡୋମିନିକାନ ରିପବ୍ଲିକ୍ରେ ଥିବା ପ୍ରସିଦ୍ଧ କ୍ଲବ୍ଗୁଡ଼ିକ ମଧ୍ୟରେ ଜେଟ୍ ସେଟ୍ ନାଇଟ୍ କ୍ଲବ୍ ରହିଛି । ପ୍ରତି ସୋମବାର ରାତିରେ କ୍ଲବ୍ରେ ବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏଥିରେ ଅଧିକ ସଂଖ୍ୟକ ଲୋକ ସାମିଲ ହୋଇଥାନ୍ତି । ସ୍ଥାନୀୟ ଖବର ସଂସ୍ଥା ଅନୁସାରେ ଦୁର୍ଘଟଣା ସମୟରେ କ୍ଲବରେ ୫୦୦ରୁ ୧୦୦୦ ଲୋକ ଥିଲେ ।