ନୂଆଦିଲ୍ଲୀ,୧୭/୦୪: କଙ୍ଗୋରେ ଅଘଟଣ । ନିଆଁ ଲାଗି ଓଲଟିଲା ଡ଼ଙ୍ଗା । ଫଳରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହେରୁ ଉର୍ଦ୍ଧ୍ବ ଲୋକ ନିଖୋଜ ଅଛନ୍ତି । ତେବେ ମୋଟର ଚାଳିତ କାଠ ଡ଼ଙ୍ଗାଟି କଙ୍ଗୋର ମାଟାଙ୍କୁମୁ ବନ୍ଦରରୁ ବୋଲୋମ୍ବା ଅଞ୍ଚଳକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି ।
ଦୁର୍ଘଟଣାକୁ ନେଇ ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି, ଏହି ଦୁର୍ଘଟଣା କଙ୍ଗୋ ନଦୀରେ ଘଟିଛି। ଡଙ୍ଗାରେ ନିଆଁ ଲାଗିବା ଯୋଗୁଁ ଅନେକ ଲୋକ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି। ଅନ୍ୟପଟେ ଏହି ଘଟଣା ବିଷୟରେ ଖବର ପାଇ ଉଦ୍ଧାରକାରୀ ଦଳ ନିଖୋଜ ଲୋକଙ୍କୁ ଖୋଜା ଖୋଜି ଜାରି ରଖିଥିବା କୁହାଯାଉଛି। ପ୍ରାୟ ୪୦୦ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ଯାଉଥିବା ବେଳେ ଡଙ୍ଗାରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରୁ ଉଦ୍ଧାର ହୋଇଥିବା ପ୍ରାୟ ୧୦୦ ଜଣଙ୍କୁ ମାଣ୍ଡାକା ସହର ନିକଟରେ ଥିବା ଏକ ଅସ୍ଥାୟୀ ଆଶ୍ରୟସ୍ଥଳକୁ ନିଆଯାଇଛି। ସେହିପରି ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଥାଉକି, କିଛି ବର୍ଷ ପୂର୍ବେ ଏଭଳି ଅନେକ ଘଟଣାରେ ଶହ ଶହ ଲୋକ ମୃତ୍ୟୁବରଣ କରିଛନ୍ତି । ଗତ ଡ଼ିସେମ୍ବରରେ ଉତ୍ତର-ପୂର୍ବ କଙ୍ଗୋରେ ଏକ ଡ଼ଙ୍ଗା ଓଲଟି ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା । ସେମାନେ ଖ୍ରୀଷ୍ଟମାସ ପାଇଁ ଯାତ୍ରା କରୁଥିଲେ । ସେହିପରି ଅକ୍ଟୋବରରେ ଲେକ କେବୁରେ ହୋଇଥିବା ଦୁର୍ଘଟଣାରେ ୭୮ ଜଣଙ୍କ ମୃତ୍ୟୁ ହୋଇଥିଲା ।