ନୂଆଦିଲ୍ଲୀ,୧୭।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ପକ୍ଷରୁ ଚୀନ୍ ଉପରେ ଲଗାଯାଇଛି ୨୪୫% ଟାରିଫ୍। ଏହାକୁ ନେଇ ଏବେ ଚୀନ୍ କରିଛି କଡ଼ା ସମାଲୋଚନା। ଚୀନ୍ କହିଛି ଏହା ତର୍କ ସଙ୍ଗତ ନୁହେଁ। ଯଦିଓ ଏହାଦ୍ବାରା ଆମକୁ କିଛି ଫରକ ପଡେନି। ଚୀନ୍ ଏହି ବ୍ୟାପରିକ ଯୁଦ୍ଧରେ ସାମିଲ ହେବାକୁ ଚାହେଁନି। କାରଣ ଏହା ସ୍ପଷ୍ଟ ଯେ, ଆମେ ଏହାକୁ ଭୟ ବି କରୁନୁ। ଏଭଳି ବାଣିଜ୍ୟିକ ଯୁଦ୍ଧର କେହି ବିଜେତା ହେବେନି।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, ଆମେରିକା ପକ୍ଷରୁ ଲଗାଯାଇଥିବା ଟରିଫ୍ କେବଳ ଏକ ସଂଖ୍ୟାର ଖେଳ। ଏହି ଟାରିଫ୍ର ପ୍ରଭାବ ଆର୍ଥିକ ରୂପରେ ପଡିବନି। ଅନ୍ୟପଟେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ, କିଭଳି ଆମେରିକା ଅନ୍ୟମାନଙ୍କୁ ଭୟଭୀତ କରୁଛି। ଟାରିଫ୍ର ଉପଯୋଗ ଏକ ଅସ୍ତ୍ର ଭଳି କରିଛନ୍ତି ଟ୍ରମ୍ପ।
ଆମେରିକାର ଟ୍ରମ୍ପ ପ୍ରଶାସନକୁ ଟାର୍ଗେଟ କରିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର। ସେ କହିଛନ୍ତି, ଯଦି ଆମେରିକା ଟାରିଫ୍ ସହ ସଂଖ୍ୟା ଖେଳ ଜାରି ରଖେ ଚୀନ୍ ଏହାକୁ ଅଣଦେଖା କରିବ। କାରଣ ଏହାଦ୍ବାରା ଆମକୁ ବିଶେଷ ଫରକ୍ ପଡିବନି। କିନ୍ତୁ ଆମେରିକା ଯଦି ଚୀନ୍ର ଅଧିକାର ଓ ହିତକୁ କ୍ଷତି କରିବାକୁ ଚାହେଁ, ତେବେ ଚୀନ୍ ଏହାର ନିଶ୍ଚିତ ପକ୍ଷେ ପ୍ରତିରୋଧ କରିବ।