ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମଙ୍ଗଳବାର ଆଇସିସିଆଇ ଏବଂ ୟେସ୍ ବ୍ୟାଙ୍କ ଉପରେ ମୋଟାଅଙ୍କର ଜରିମାନା ଲଗାଇଛି । ଋଣ ଏବଂ ଅଗ୍ରୀମ ଅର୍ଥ ସମ୍ବନ୍ଧୀୟ ନିୟମର ପାଳନ କରିବାରେ ବିଫଳ ହୋଇଥିବାରୁ ଆଇସିଆଇଆଇ ବ୍ୟାଙ୍କ ଉପରେ ଫାଇନ୍ ଲଗାଇଛି ଆରବିଆଇ । ଆଇସିଆଇସିଆଇ ଉପରେ ଏକ କୋଟି ଟଙ୍କା ଜରିମାନା ଲାଗିଛି । ଆର୍ଥିକ ବର୍ଷ ୨୦୨୨-୨୩ରେ ଆରବିଆଇ ପକ୍ଷରୁ ଆଇସିସିଆଇ ବ୍ୟାଙ୍କର କାର୍ଯ୍ୟଶୈଳୀକୁ ନେଇ ଯାଞ୍ଚ କରାଯାଇଥିଲା ।
ଏଥିରୁ ଜଣାପଡ଼ିଥିଲା ଯେ, ବ୍ୟାଙ୍କ କେତେକ ପ୍ରୋଜେକ୍ଟ ଲାଗି ମୋଟାଅଙ୍କର ଋଣ ପ୍ରଦାନ କରିଥିଲା। ହେଲେ ଯେଉଁ ସବୁ ସଂସ୍ଥାକୁ ଏହି ଋଣ ରାଶି ମିଳିଛି ସେଗୁଡ଼ିକର ସ୍ଥିରତା ସଂପର୍କରେ ଆକଳନ କରିବାରେ ବିଫଳ ହୋଇଛି ଆଇସିଆଇସିଆଇ । ଏହି ସବୁ ସଂସ୍ଥା ଯେତିକି ରାଜସ୍ବ ପାଉଛନ୍ତି ତାହା ଋଣ ପରିଶୋଧ କରିବାରେ ପର୍ଯ୍ୟାପ୍ତ କି ନାହଁ ସେନେଇ ମଧ୍ୟ ବ୍ୟାଙ୍କ ପାଖରେ କୌଣସି ତଥ୍ୟ ନାହିଁ ।
ସେହିଭଳି ଗ୍ରାହକ ସେବାରେ ତ୍ରୁଟି ଏବଂ ଅଫିସ୍ ଆକାଉଣ୍ଟରେ ଅନଧିକୃତ କାର୍ଯ୍ୟକଳାପ ଅଭିଯୋଗରେ ୟେସ୍ ବ୍ୟାଙ୍କ ଉପରେ ୯୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଆରବିଆଇ । ଆର୍ଥିକ ବର୍ଷ ୨୦୨୨ରେ ଆରବିଆଇ ଜାଣିବାକୁ ପାଇଥିଲା ଯେ, ବ୍ୟାଙ୍କ ଅନେକ ଗ୍ରାହକଙ୍କ ପାଖରୁ କମ୍ ତଥା ଜିରୋ ବାଲାନ୍ସ ଆକାଉଣ୍ଟ ପାଇଁ ଜରିମାନା ଲଗାଇଛି। ଏପରିକି କେତେକ ଆକାଉଣ୍ଟକୁ ଅନଧିକୃତ କାର୍ଯ୍ୟ ଲାଗି ବ୍ୟବହାର କରାଯାଇଛି ।