ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରୁ ଅଧିନାୟକ ରୋହିତ ଶର୍ମା ବାଦ ପଡ଼ିବା ପରେ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି ଜସପ୍ରୀତ ବୁମରା । ପ୍ରଥମ ଟେଷ୍ଟରେ ବୁମରାଙ୍କ ନେତୃତ୍ବରେ ଟିମ୍ ବହୁତ ଭଲ ପ୍ରଦର୍ଶନ କରିବା ସହ ଅଷ୍ଟ୍ରେଲିଆକୁ ମାତ ଦେଇଥିଲା । ଭାରତୀୟ ଦଳ ୧୦ ଓ୍ବିକେଟରେ ବିଜୟ ହାସଲ କରିଥିଲା । ଚଳିତ ସିରିଜ୍ରେ ରୋହିତ ଶର୍ମାଙ୍କ ଖରାପ ଫର୍ମ ଚିନ୍ତାର କାରଣ ପାଲଟିଛି । ଶେଷରେ ତାଙ୍କୁ ଶେଷ ଟେଷ୍ଟରୁ ବାହାରେ ରହିବାକୁ ପଡ଼ିଛି । ୫ଟି ଇନିଂସରେ ରୋହିତ ଶର୍ମା ମାତ୍ର ୩୪ ରନ୍ କରିବାରେ ସକ୍ଷମ ହୋଇଛନ୍ତି । ଏପରିକି ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।
ଆଗାମୀ ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରରେ ରୋହିତ ଶର୍ମା ଅଧିନାୟକ ରହିବେ କି ନାହିଁ ତାକୁ ନେଇ ଆଶଙ୍କା ମଧ୍ୟ ବଢ଼ିଛି । ଏଭଳି ସ୍ଥିତିରେ ସାମ୍ନାକୁ ଆସିଥିବା ଏକ ରିପୋର୍ଟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ମାଇଖେଳ’ର ରିପୋର୍ଟ ଅନୁସାରେ, ଚାମ୍ପିୟନ୍ସ ଟ୍ରଫିରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହୋଇପାରନ୍ତି । ଏହା ଉପରେ ଦଳର ପରିଚାଳନା ଟିମ୍ ଚିନ୍ତା କରୁଥିବା କୁହାଯାଉଛି । ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଗୁରୁଦାୟିତ୍ବ ଦେଇପାରେ ଟିମ୍ ମ୍ୟାନେଜମେଣ୍ଟ ।
ସୂତ୍ରକୁ ଆଧାର କରି ମାଇଖେଳ କରିଥିବା ରିପୋର୍ଟ ଅନୁସାରେ, ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ଟି-୨୦ ବିଶ୍ବକପ୍ ଜିତିଥିଲା । ହେଲେ ଆଗାମୀ ଚାମ୍ପିୟନ୍ସ ଟ୍ରଫିରେ ଦଳ ରୋହିତଙ୍କ କାନ୍ଧରୁ ଦାୟିତ୍ବ ଭାର ହାଲୁକା କରିବାକୁ ଚାହୁଁଛି । ସେପଟେ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଇସିସି ଦିନିକିଆ ଟୁର୍ଣ୍ଣାମେଣ୍ଟରେ ନେତୃତ୍ବ କରିବା ଲାଗି ବିସିସିଆଇ ନଜରରେ ଭଲ ବିକଳ୍ପ ନୁହେଁ । ସେହିଭଳି ଶୁଭମନ ଗିଲ ନିଜର ପାରଦର୍ଶିତା ଦେଖାଇବାର ଜରୁରି ଅଛି । ଏଭଳି ସ୍ଥିତିରେ ଯଦି ରୋହିତ ଶର୍ମାଙ୍କୁ ଦାୟିତ୍ବ ନମିଳେ ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆରେ ନେତୃତ୍ବ ନେବା ଲାଗି ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି ।
ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରେ ହାଇବ୍ରିଡ୍ ମଡେଲରେ ହେବ । ଆୟୋଜକ ପାକିସ୍ତାନ କରାଚିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ । ସେହିଭଳି ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଦୁବାଇରେ ଖେଳିବ । ଭାରତ ବନାମ ବାଂଲାଦେଶ ମଧ୍ୟରେ ଏହି ମ୍ୟାଚ୍ ଫେବୃଆରୀ ୨୦ରେ ଖେଳାଯିବ ।