ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଆଜି ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା, ରାମଲୀଲା ମୈଦାନରେ ଭବ୍ୟ ଆୟୋଜନ

Published By : Prameya | February 20, 2025 8:24 AM

ନୂଆଦିଲ୍ଲୀ,୨୦/୦୨: ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା। ଦିନ ୧୨ଟା  ୩୫ରେ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଶପଥ ସମାରୋହ  ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ  ସମେତ ୭ ଜଣ ମନ୍ତ୍ରୀ ଶପଥ ଗ୍ରହଣ  କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ  ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସମେତ  ସମସ୍ତ ବିଜେପି ଓ ଏନ୍‌ଡିଏ ଶାସିତ  ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥିରେ  ଯୋଗଦେବେ । ବୁଧବାର ରେଖା ଗୁପ୍ତାଙ୍କ ନାମରେ ମୋହର ମାରିଥିଲା  ବିଜେପି । ରେଖାଙ୍କୁ ବିଜେପି  ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିଲେ। ବୁଧବାର ବିଧାୟକ ଦଳ ନେତା  ନିର୍ବାଚିତ ହେବା ପରେ ରେଖା ଗୁପ୍ତା  ଦଳର ବରିଷ୍ଠ ନେତାମାନଙ୍କ ସହ  ରାଜ ନିବାସ ଯାଇ ଉପରାଜ୍ୟପାଳ  ଭି କେ ସକ୍ସେନାଙ୍କୁ ଭେଟି ଦିଲ୍ଲୀରେ  ସରକାର ଗଢ଼ିବା ଲାଗି ଦାବି ଉପସ୍ଥାପନ  କରିଛନ୍ତି । 

ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ରେଖାଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀକୁ ବିଶ୍ୱର  ଅନ୍ୟତମ ଶ୍ରେଷ୍ଠ ରାଜଧାନୀ ବନାଇବାରେ  ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଶାକୁ ରେଖା  ପୂରଣ କରିବେ ବୋଲି ଶାହ କହିଛନ୍ତି ।  ବିଧାୟକ ଦଳ ନେତା ନିର୍ବାଚିତ ହେବା  ପରେ ରେଖା ଦଳୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏକ୍ସରେ ରେଖା ଲେଖିଛନ୍ତି, ମୁଁ ବିଜେପିର ଶୀର୍ଷ  ନେତୃବୃନ୍ଦ ଏବଂ ବିଧାୟକମାନଙ୍କୁ ଧନ୍ୟବାଦ ଜଣାଉଛି ।  ଦିଲ୍ଲୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିଜ ଦାୟିତ୍ୱ  ନିର୍ବାହ କରିବି । ଦଳର ଏହି ବିଶ୍ୱାସ ଓ ସମର୍ଥନ ମୋତେ  ନୂଆ ଶକ୍ତି ଓ ପ୍ରେରଣା ଦେଇଛି । ଦିଲ୍ଲୀର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ, ସଶକ୍ତିକରଣ ଓ ସାମଗ୍ରିକ  ବିକାଶ ଲାଗି ସଚ୍ଚୋଟତା, ନିଷ୍ଠା ଓ ସମର୍ପଣ ସହ କାର୍ଯ୍ୟ  କରିବାକୁ ମୁଁ ସଂକଳ୍ପ ନେଉଛି । 

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରୀ  ୫ରେ ମତଦାନ ହୋଇ ୮ରେ ଫଳ ପ୍ରକାଶ ପାଇଥିଲା ।  ମୋଟ ୭୦ ଆସନରୁ ବିଜେପି ୪୮ଟି ପାଇ ବହୁମତ  ହାସଲ କରିଥିଲା । ଆପ୍‌କୁ ୨୨ ଆସନ ମିଳିଥିଲା  ବେଳେ କଂଗ୍ରେସ ହାତ ଖାଲି ରହିଥିଲା । ଫଳ ପ୍ରକାଶର  ୧୧ ଦିନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସହମତି  ହୋଇଛି । ପ୍ରଥମ ଥର ବିଧାୟକ ବନିଥିବା ୫୦  ବର୍ଷୀୟା ରେଖା ଗୁପ୍ତାଙ୍କ ନାମରେ ମୋହର ବାଜିଛି ।  

ଶାଲିମାର ବାଗ ଆସନରୁ ସେ ନିର୍ବାଚନ ଲଢ଼ି ନିକଟତମ  ପ୍ରତିଦ୍ୱନ୍ଦ୍ୱୀ ଆପ୍‌ ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ ୨୯ ହଜାର  ୫୯୫ ଭୋଟରେ ହରାଇଥିଲେ । ସୁଷମା ସ୍ୱରାଜ, ଶିଲା  ଦୀକ୍ଷିତ ଓ ଆତିଶୀଙ୍କ ପରେ ସେ ଦିଲ୍ଲୀର ଚତୁର୍ଥ ମହିଳା  ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବିଧାୟକ ଦଳ ବୈଠକ ପୂର୍ବରୁ ପାର୍ଟି  ହାଇକମାଣ୍ଡ ରବିଶଙ୍କର ପ୍ରସାଦ ଏବଂ ଓମ୍‌ପ୍ରକାଶ  ଧନଖଡ଼ଙ୍କୁ ପର୍ଯ୍ୟବେକ୍ଷକ ବନାଇଥିଲେ । ବୈଠକ ପୂର୍ବରୁ ଉଭୟ ବିଜେପିର ସମସ୍ତ ବିଧାୟକଙ୍କୁ ଜଣ  ଜଣ କରି ଭେଟି କଥା ହୋଇଥିଲେ । ଏହାପରେ  ବୈଠକରେ ସତୀଶ ଉପାଧ୍ୟାୟ ଓ ବିଜେନ୍ଦର ଗୁପ୍ତା  ରେଖା ଗୁପ୍ତାଙ୍କ ନାମ ପ୍ରସ୍ତାବ ରଖିଥିଲେ । ଏହାକୁ  ଗ୍ରହଣ କରାଯାଇଥିଲା ଏବଂ ନୂଆ ମୁଖ୍ୟମନ୍ତ୍ରୀଙ୍କ  ନାମ ଘୋଷଣା ହୋଇଥିଲା । 

ସେହିଭଳି ନୂଆଦିଲ୍ଲୀ  ଆସନରୁ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କୁ  ହରାଇଥିବା ପର୍‌ବେଶ ବର୍ମା ଉପମୁଖ୍ୟମନ୍ତ୍ରୀ ଓ  ରୋହିଣୀ ବିଧାୟକ ବିଜେନ୍ଦର ଗୁପ୍ତା ବାଚସ୍ପତି ହେବେ  ବୋଲି ଜଣାପଡ଼ିଛି । ରେଖା ଗୁପ୍ତା ବିଧାୟକ ହେବା ପୂର୍ବରୁ ୨୦୦୭ ଓ  ୨୦୧୨ରେ ଦୁଇଥର ନର୍ଥ ପିତମପୁରାରୁ କାଉନସିଲର  ରହିଥିଲେ । ତାହା ପୂର୍ବରୁ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ  ଛାତ୍ର ସଂଗଠନ (ଡିୟୁଏସ୍‌ୟୁ)ର ସାଧାରଣ ସମ୍ପାଦକ ବି ରହିଥିଲେ । ଏମିତି କି ସେ କିଛିଦିନ ଓକିଲାତି ବି କରିଥିଲେ । ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଦିଲ୍ଲୀରେ  ସରକାର ଗଢ଼ିବାକୁ ଯାଉଛି ବିଜେପି । ଏଥିପାଇଁ  ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହର  ମାହୋଲ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.