ପ୍ରୟାଗରାଜ ୧୬/୦୨: ହିନ୍ଦୁ ରାଷ୍ଟ୍ର ଓ ସନାତନ ବୋର୍ଡ ପରେ ମହାକୁମ୍ଭରେ ଏବେ ଆଉ ଏକ ବଡ଼ ଦାବି ଉଠିଛି । ଭାରତରେ ମଧ୍ୟ ଭଗବାନ ଶ୍ରୀରାମଙ୍କର ଫଟୋଯୁକ୍ତ ନୋଟ୍ ପ୍ରଚଳନ ଲାଗି ଦାବି କରାଯାଉଛି । ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ଣ୍ଣର ଥିବା ସମୟରେ ଏହି ଦାବି ହୋଇଥିଲା । ସେତେବେଳେ ଭାରତରେ ଦୁଇ ପ୍ରକାର ମୁଦ୍ରା ପ୍ରଚଳିତ ହୋଇପାରିବ ନାହିଁ ବୋଲି ଯୁକ୍ତି ଦର୍ଶାଇଥିଲା ଆର୍ବିଆଇ । ନେଦରଲାଣ୍ଡସ୍ରେ ଶ୍ରୀରାମଙ୍କ ଫଟୋଯୁକ୍ତ ମୁଦ୍ରା ଡିଜାଇନ୍ ଓ ପ୍ରଚଳନ ଲାଗି ଯେଉଁ ସଂସ୍ଥା ‘ଦ ଗ୍ଲୋବାଲ୍ କଣ୍ଟ୍ରି ଅଫ୍ ୱାର୍ଲଡ ପିସ୍’ ଯୋଗଦାନ ଦେଇଥିଲା, ସେହି ସଂସ୍ଥା ପୁଣିଥରେ ଏହି ଦାବିକୁ ଦୋହାରଇଛି ।
ଏହି ସଂସ୍ଥା ସହିତ ଜଡି଼ତ ବଡ ଅର୍ଥନୀତିଜ୍ଞ ଏବେ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)କୁ ଭେଟିବାକୁ ଯୋଜନା କରୁଛନ୍ତି । ମୋଦି ସରକାରରେ ଏହି ଦାବି ଉପରେ ଧ୍ୟାନ ଦିଆଯାଇପାରେ ବୋଲି ସେମାନଙ୍କର ବିଶ୍ୱାସ । ଏହି ମୁଦ୍ରା ହଲାଣ୍ଡ, ଜର୍ମାନୀ ସହିତ ୩୦ଟି ଦେଶରେ ମଧ୍ୟ ପ୍ରଚଳିତ ହୋଇଥିଲା । ସଂସ୍ଥାଟି ମହର୍ଷି ମହେଶ ଯୋଗୀଙ୍କ ସହ ଜଡି଼ତ । ପ୍ରୟାଗରାଜର ଅରୈଲ୍ରେ ଏହାର ଆଶ୍ରମ ରହିଛି । ସଂସ୍ଥାନର ପ୍ରମୁଖ ବ୍ରହ୍ମଚାରୀ ଗିରୀଶ ଜୀ ମହାରାଜ କହିଛନ୍ତି, ସବୁ ଲୋକ ଟଙ୍କା, ଡଲାର ଓ ୟୁରୋ ନାମ ନେଉଛନ୍ତି । କିନ୍ତୁ ଆମର ବୈଦିକ ସାହିତ୍ୟରେ ରାମଜୀଙ୍କ କଥା କୁହାଯାଇଛି । ସେଥିଯୋଗୁ ମହର୍ଷି ମହେଶ ଯୋଗୀ ଦିନରାତି ରାମ ନାମ କିଭଳି ନେଇହେବ ବୋଲି ଚିନ୍ତା କରିଥିଲେ । ଏହାପରେ ରାମ ନାମର ମୁଦ୍ରା ପ୍ରଚଳନ ଲାଗି ସ୍ଥିର ହୋଇଥିଲା । ଏହି ପ୍ରସଙ୍ଗରେ ବିଶେଷଜ୍ଞମାନଙ୍କର ପରାମର୍ଶ ନିଆଯାଇଥିଲା । ସର୍ବପ୍ରଥମେ ନେଦରଲାଣ୍ଡସ୍ରେ ରାମ ମୁଦ୍ରା ଛପା ହୋଇଥିଲା । ସେଥିରେ ସଂସ୍ଥାର ଲୋକେ ସାମିଲ ଥିଲେ । ଗୋଟିଏ ରାମ ମୁଦ୍ରାର ଦାମ୍ ୧୦ ଡଲାର ସହ ସମାନ ରଖାଯାଇଥିଲା । ଏହାପରେ ହଲାଣ୍ଡ, ଜର୍ମାନୀ, ସ୍ୱିଜରଲାଣ୍ଡ, ଅଷ୍ଟ୍ରିଆ ସମେତ ୩୦ଟି ଦେଶରେ ରାମ ମୁଦ୍ରା ପ୍ରଚଳିତ ହୋଇଥିଲା । ଏହା ଏକ ଭଲ ପ୍ରୟୋଗ ଥିବାବେଳେ ଅନେକ ଲୋକ ଏହାକୁ ପସନ୍ଦ କରିଥିଲେ ।
ଏହାପରେ ତାଙ୍କର ସଂସ୍ଥା ସବୁଠୁ ବଡ଼ ଅର୍ଥନୀତିଜ୍ଞ ଆର୍ବିଆଇ ପାଖକୁ ଯାଇଥିଲା । ଭାରତରେ ସେହି ମୁଦ୍ରାର ପ୍ରଚଳନ ଲାଗି ସଂସ୍ଥା ଚାହୁଁଥିଲା । ସେତେବେଳେ ମନମୋହନ ସିଂହ ଆର୍ବିଆଇ ଗଭର୍ଣ୍ଣର ଥିଲେ । ଭାରତରେ ଦୁଇ ପ୍ରକାର ମୁଦ୍ରା ପ୍ରଚଳିତ ହୋଇପାରିବ ନାହିଁ ବୋଲି ଆର୍ବିଆଇ ଯୁକ୍ତି ଦର୍ଶାଇଥିଲା । ଗିରିଶଜୀ ମହାରାଜ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ରାମ ମୁଦ୍ରା ଲାଗୁ ହେଉ ବୋଲି ପୁଣିଥରେ ଦାବି ଉଠୁଛି । ସଂସ୍ଥାରେ ଅର୍ଥ ବିଭାଗ ସମ୍ଭାଳୁଥିବା ବରିଷ୍ଠ ଲୋକେ ସରକାରଙ୍କ ସହିତ ଏଥିନେଇ ଆଲୋଚନା କରିବେ । ଆମେ ସରକାରଙ୍କୁ ଏହି ମୁଦ୍ରାର ଉପଯୋଗିତା ବୁଝାଇବୁ ।