ଭୁବନେଶ୍ବର,୪।୭ : ରାଜ୍ୟରେ ଜାରି ରହିଛି ବର୍ଷା। ଉପକୂଳରୁ ଦକ୍ଷିଣ ସବୁଠି ଜାରି ରହିଛି ବର୍ଷା। ଆସନ୍ତା ୬ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ।ଯାହାର ପ୍ରଭାବରେ ୬ ଏବଂ ୭ ତାରିଖ ବେଳକୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ଓଡିଶାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର । ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ,କଳାହାଣ୍ଡିରେ ଆଗାମୀ ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ମୌସୁମୀ ସିଜିନରେ ଏଯାଏ ରାଜ୍ୟରେ ୨୫ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ବାଭାବିକ ରହିଛି ବର୍ଷା ପରିମାଣ। ମୟୂରଭଞ୍ଜ ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ।
ସେପଟେ ବିଶେଷଜ୍ଞ କହିଛନ୍ତି ବର୍ତ୍ତମାନ ଆରବସାଗରରୁ ଜଳୀୟ ବାଷ୍ପର ପ୍ରଭାବ ଅଧିକ ରହୁଛି। ଦକ୍ଷିଣ ପଶ୍ଚିମ ଦିଗରୁ ଆସୁଥିବା ବାୟୁରେ ଅଧିକ ଜଳୀୟବାଷ୍ପ ରହୁଛି । ଫଳରେ ଓଡ଼ିଶାରେ ମେଘୁଆ ପାଗ ରହୁଛି,ବର୍ଷା ହେଉଛି । ଅଳ୍ପ ତାପମାତ୍ରାରେ ଗୁଳୁଗୁଳି ୮୦ ପ୍ରତିଶତରୁ ଅଧିକ ରହୁଛି । ରାତିରେ ୧୦୦ ପ୍ରତିଶତ ରହୁଛି । ପ୍ରଭାବରେ ଦିନ ୨ରୁ ସଂଧ୍ୟା ୬ ଟା ଯାଏଁ ତୁହାକୁ ତୁହା ବର୍ଷା ହେବ । କିନ୍ତୁ ବର୍ଷାର ପରିମାଣ କମ୍ ରହିବ । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ।