ଭୁବନେଶ୍ୱର,୦୭/୦୭: ‘ନମସ୍କାର ଓଡ଼ିଶାବାସୀ, ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ, ଜୟ ଜଗନ୍ନାଥ’ । ୨୨ଟି ଦେଶର ଯୁବକଯୁବତୀ ଏମିତି କହି ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ସେମାନଙ୍କୁ ଏକାଠି କରିବା ପଛରେ ଅଛନ୍ତି ଜର୍ମାନୀରେ ରହୁଥିବା ଓଡ଼ିଆ ପୁଅ ପ୍ରତୀକ ପତି ।
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ତିଆରି ହୋଇଥିବା ଏହି ୬.୩୧ ମିନିଟ୍ର ଭିଡିଓଟି ୟୁଟ୍ୟୁବରେ ପ୍ରସାରିତ ହୋଇଥିବାବେଳେ ଏହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତୀକଙ୍କ ଘର କଟକ ଜିଲ୍ଲାର ବୟାଳିଶ ମୌଜାରେ । ସେ ଜର୍ମାନୀରେ ଚାକିରି କରିବା ସହ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ‘ସ୍ପିରିଟ୍ ଅଫ ଓଡ଼ିଶା’ ଖୋଲିଛନ୍ତି । ସେ ଏଥିରେ ଓଡ଼ିଆ ଟ୍ରାଭେଲ୍ ଭ୍ଲଗ୍ କରି ଅପଲୋଡ୍ କରନ୍ତି । ଏଥିରେ ତାଙ୍କର ଅନେକ ଫଲୋଅର୍ସ ଅଛନ୍ତି । ଉକ୍ତ ଅଭିନନ୍ଦନ ପାଇଁ ସେ ଫ୍ରାନ୍ସ, ସ୍ପେନ, ତୁର୍କୀ, ରୋମାନିଆ, ଅଷ୍ଟ୍ରେଲିଆ, ଆଲଜେରିଆ,ଇଟାଲୀ, ଇରାନ, ବ୍ରାଜିଲ, ନାଇଜେରିଆ, ମର୍କ୍କୋ, ଟ୍ୟୁନିସିଆ, ମଣ୍ଟିନିଗ୍ରୋ, ମଲଡୋଭା, ଭେନେଜୁଏଲା, ପୋଲାଣ୍ଡ, ୟୁକ୍ରେନ, ପର୍ତ୍ତୁଗାଲ, ଇଣ୍ଡୋନେସିଆ ଭଳି ୨୨ଟି ଦେଶରେ ରହୁଥିବା ତାଙ୍କର ଫଲୋଅର୍ସମାନଙ୍କୁ ଏକାଠି କରି ଓଡ଼ିଆରେ ଶୁଭେଚ୍ଛା ବାର୍ତ୍ତା ଦେବାକୁ ଅନୁରୋଧ କରିଥିଲେ । ଗୁରୁତ୍ୱପୂର୍ଣ୍ଣ ହେଉଛି, ଏହି ୨୨ଟି ଦେଶର ଯୁବକଯୁବତୀଙ୍କ ଭାଷା ଓଡ଼ିଆ ହୋଇନଥିବାବେଳେ ସେମାନେ ଓଡ଼ିଆରେ ଶୁଭେଚ୍ଛା ଦେବା ଓଡ଼ିଶାବାସୀ ତଥା ବିଶ୍ୱରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ବେଶ ଉତ୍ସାହିତ କରିଛି ।