ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ, ରେଳ ମନ୍ତ୍ରଣାଳୟ X କୁ ୧୫ ଫେବୃଆରୀରେ ଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଦଳାଚକଟା ସହିତ ଜଡିତ ସମସ୍ତ ଭିଡିଓ ଏବଂ ଫଟୋକୁ ତାର ପ୍ଲାଟଫର୍ମରୁ ହଟାଇବାକୁ କହିଛି । ମନ୍ତ୍ରଣାଳୟ ଏହା ପଛରେ ନୈତିକ ମାନଦଣ୍ଡର କଥା ଉଲ୍ଲେଖ କରିଛି।
ରେଳବାଇ ଏହି ଚିଠିରେ ନୈତିକ ମାନଦଣ୍ଡ ଏବଂ ଆଇଟି ନୀତିକୁ ଉଦ୍ଧୃତ କରି X କୁ ମୃତ ଶରୀର ଏବଂ ଅଚେତ ଯାତ୍ରୀମାନଙ୍କୁ ଦେଖାଉଥିବା ଭିଡିଓଗୁଡ଼ିକୁ ହଟାଇବାକୁ କହିଛି। ମନ୍ତ୍ରଣାଳୟ X କୁ ୩୬ ଘଣ୍ଟା ମଧ୍ୟରେ ପ୍ରାୟ ୨୫୦ ଏପରି ଭିଡିଓ ହଟାଇବାକୁ କହିଛି। ତେବେ X ପକ୍ଷରୁ ଏପର୍ଯ୍ୟନ୍ତ ରେଳ ମନ୍ତ୍ରାଳୟର ଏହି ଚିଠିର ଉତ୍ତର ଦିଆଯାଇନାହିଁ।
ସୂଚନାଥାଉକି, ଫେବୃଆରୀ ୧୫ ତାରିଖରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ କୁମ୍ଭମେଳାକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ଏକ ବିରାଟ ଭିଡ଼ ଜମିଥିବା ବେଳେ ଦଳାଚକଟା ହୋଇଥିଲା। ତେବେ ସ୍ୱତନ୍ତ୍ର ଟ୍ରେନର ବିଳମ୍ବ ଏବଂ ପ୍ଲାଟଫର୍ମ ପରିବର୍ତ୍ତନ ଘୋଷଣା ଯୋଗୁଁ ଷ୍ଟେସନରେ ଦଳାଚକଟା ହୋଇଥିଲା। ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେତେବେଳେ କି ୧୫ ଜଣ ଆହତ ହୋଇଥିଲେ।
ନ୍ୟୁଜ୍ ଏଜେନ୍ସି ଆଇଏଏନଏସ ଅନୁସାରେ, ଦଳାଚକଟାର କାରଣ ଖୋଜିବା ପାଇଁ ରେଳ ପ୍ରଶାସନ ଏକ ଦୁଇ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛି। ଏହି କମିଟିରେ ଉତ୍ତର ରେଳବାଇର PCCM ନରସିଂହ ଦେବ ଏବଂ PCSC ଉତ୍ତର ରେଳବାଇର ପଙ୍କଜ ଗଙ୍ଗୱାର ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀ ରେଳ ଷ୍ଟେସନର ଭିଡିଓ ଫୁଟେଜ୍ ସମେତ ସମସ୍ତ ଉପଲବ୍ଧ ପ୍ରମାଣ ବିଶ୍ଳେଷଣ କରିବା ଏବଂ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି।