ରାୟଗଡ଼ା,୦୧/୦୨: ସୀତାଫଳ, ସପୁରୀ ପରେ ଜିଲ୍ଲାରୁ ଉତ୍ପାଦିତ କଞ୍ଚା ପଣସର ଚାହିଦା ବଢ଼ିଛି । ବିଶେଷକରି ପଶ୍ଚିମ ଭାରତରେ ଏହାର ଆଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଏଠୁ ଟ୍ରକ୍ ଓ ଭ୍ୟାନ୍ରେ ଟନ୍ ଟନ୍ ପଣସ ଲୋଡ୍ହୋଇ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟର ବିଭିନ୍ନ ସହରକୁ ଯାଉଛି । ହୋଲ୍ସେଲ୍ ବ୍ୟବସାୟୀମାନେ ରାୟଗଡ଼ା ସହରରୁ ବାହାର ରାଜ୍ୟକୁ ପଠାଉଛନ୍ତି । ଅଥଚ ଏଠିକା ଚାଷୀ ଉଚିତ ମୂଲ୍ୟ ପାଉନାହାନ୍ତି । ପାହାଡ଼, ଜଙ୍ଗଲ ଭରା ଏହି ଜିଲ୍ଲାରେ ପଣସ ଗଛ ପ୍ରକୃତିର ଏକ ବରଦାନ କହିଲେ କିଛି ଭୁଲ ହେବନାହିଁ ।
ପାହାଡ଼ ଉପରେ ଲକ୍ଷ ଲକ୍ଷ ସଂଖ୍ୟାରେ ଏହି ଗଛ ଭରି ରହିଛି । ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ବିଷମକଟକ, କୋଲନରା, ରାୟଗଡ଼ା, ରାମନାଗୁଡ଼ା ଏବଂ କଲ୍ୟାଣସିଂହପୁର ବ୍ଲକ୍ରୁ ପ୍ରଚୁର ପରିମାଣରେ ପଣସ ଉତ୍ପାଦନ ହେଉଛି। ପାଚିଲା ଅପେକ୍ଷା କଷି ପଣସର ଚାହିଦା ଅଧିକ ରହିଛି । ତେଣୁ ଆଦିବାସୀମାନେ ଛୋଟ ଛୋଟ ପଣସକୁ ସଂଗ୍ରହ କରି ସହରର ହୋଲ୍ସେଲ୍ ବ୍ୟବସାୟୀଙ୍କୁ ଦେଉଛନ୍ତି । ଚାଷୀଙ୍କଠାରୁ ପଣସ ପିଛା ୧୦ରୁ ୧୫ ଟଙ୍କାରେ କିଣି ବ୍ୟବସାୟୀମାନେ ବାହାର ରାଜ୍ୟକୁ ପଠାଉଛନ୍ତି । ସେଠାରେ କିଲୋ ୨୫ରୁ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି । ଗୋଟିଏ ପଣସର ଓଜନ ୨ରୁ ୩ କିଲୋ ରହୁଥିବାରୁ ସେମାନେ ଏହାର ଫାଇଦା ନେଉଛନ୍ତି । ଫଳରେ ଗ୍ରାମାଞ୍ଚଳର ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।
ଜଙ୍ଗଲ ଓ ପାହାଡ଼ରୁ ସଂଗ୍ରହ ହେଉଥିବା ସାମଗ୍ରୀକୁ ଉଚିତ ଦରରେ ବିକ୍ରି ଲାଗି ଜିଲ୍ଲାରେ ଓରମାସ୍ ରହିଛି । ତଥାପି ଚାଷୀଙ୍କୁ ହତାଦର କରାଯାଉଛି । ପଣସ ଚାଷୀ ଓ ସଂଗ୍ରହକାରୀ କିଭଳି ଉଚିତ ମୂଲ୍ୟ ପାଇବେ ସେ ଦିଗରେ ବିଭାଗ ଧ୍ୟାନ ଦେଉନି । ସେପଟେ ଜିଲ୍ଲାରୁ ପ୍ରତିବର୍ଷ ପ୍ରାୟ ୨୦ ହଜାର କ୍ୱିଣ୍ଟାଲ୍ କଞ୍ଚା ପଣସ ପଶ୍ଚିମ ଭାରତକୁ ପଠାଯାଉଥିବା ଆକଳନରୁ ଜଣାପଡ଼ିଛି । ନିୟମଗିରି ପାହାଡ଼ରୁ ବାର୍ଷିକ ୯ରୁ ୧୦ ହଜାର କ୍ୱିଣ୍ଟାଲ୍ ପଣସ ଉତ୍ପାଦନ ହେଉଛି । ପ୍ରତିବର୍ଷ ଏହାର ଉତ୍ପାଦନ ବଢ଼ୁଛି । ତଥାପି ଜିଲ୍ଲାର ପଣସ ଚାଷୀମାନେ ପ୍ରତିବର୍ଷ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଏଠିକା କଞ୍ଚା ପଣସକୁ ବାହାର ରାଜ୍ୟର ଶୀତଳ ଭଣ୍ଡାରରେ ରଖି ବିକ୍ରି କରାଯାଉଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଓର୍ମାସର ଡେପୁଟି ସିଇଓ ମନୋଜ କୁମାର ପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ଉତ୍ପାଦନକାରୀ ଗୋଷ୍ଠୀଙ୍କଠାରୁ ହିଁ କିଣିବାର ବିଭାଗୀୟ ନିୟମ ରହିଛି । ତେଣୁ ବ୍ୟକ୍ତିଗତଭାବେ ସଂଗ୍ରହକାରୀଙ୍କଠାରୁ କିଣାଯାଇପାରୁନି ।