ନୂଆଦିଲ୍ଲୀ: ଗୁରୁବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟରେ ଚାଲିଥିବା ମହିଳାଙ୍କ ଯୌନ ଶୋଷଣ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦ୍ୱିତୀୟ ଚିଠି ଲେଖିଛନ୍ତି । ଏହି ଅଭିଯୋଗ ପତ୍ରରେ ସେ ପ୍ରଜ୍ବଳ ରେଭନାଙ୍କ କୂଟନୈତିକ ପାସପୋର୍ଟକୁ ତୁରନ୍ତ ବାତିଲ କରିବାକୁ ଦାବି କରିଛନ୍ତି । ସେ X ରେ ପୋଷ୍ଟ କରି ପିଏମ ମୋଦୀଙ୍କ ଠାରୁ ଏହି ଦାବି କରିଛନ୍ତି । ତେବେ ସିଦ୍ଧରମୈୟାଙ୍କ ପୋଷ୍ଟକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି । "ପ୍ରଧାନମନ୍ତ୍ରୀ, ଆପଣ ଜଣେ ମାସ୍ ରେପିଷ୍ଟ୍କୁ କାହିଁକି ରକ୍ଷା କରୁଛନ୍ତି ? ଆପଣଙ୍କର ବାଧ୍ୟବାଧକତା କ’ଣ ? ବୋଲି ପ୍ରଶ୍ନ କରିଛନ୍ତି ।
ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ସଂସ୍ଥାପକ ଏଚଡି ଦେବ ଗୌଡା ତାଙ୍କ ନାତି ପ୍ରଜ୍ବଳ ରେଭନ୍ନାଙ୍କୁ ଭାରତ ନ ଫେରିବା ବିରୋଧରେ ଚେତାବନୀ ଦେଇଥିଲେ ଏବଂ ତାଙ୍କୁ ଆଇନଗତ ପ୍ରକ୍ରିୟାରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅନୁଯାୟୀ, ହାସନ ସାଂସଦ ପ୍ରଜ୍ବଳ ରେଭନ୍ନା ଗତ ଏପ୍ରିଲ ୨୭ ରେ ଜର୍ମାନୀ ଯାଇଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ସେ ଫେରିନାହାନ୍ତି । ଇଣ୍ଟରପୋଲ ତାଙ୍କ ବିରୋଧରେ ବ୍ଲୁ ନୋଟିସ ଜାରି କରିଛି । ତାଙ୍କ ଠିକଣା ସମ୍ବନ୍ଧରେ ସୂଚନା ମାଗିଛି ।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଅତ୍ୟନ୍ତ ନୈରାଶ୍ୟଜନକ । ଏଭଳି ଗୁରୁତର ପ୍ରସଙ୍ଗରେ ତାଙ୍କ ଦ୍ୱାରା ପୂର୍ବରୁ ଲେଖାଯାଇଥିବା ଚିଠି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ରେଭନ୍ନାଙ୍କ କୂଟନୈତିକ ପାସପୋର୍ଟକୁ ବାତିଲ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନରେନ୍ଦ୍ର ମୋଦୀଙ୍କୁ ମେ ’୧ ରେ ଚିଠି ଲେଖିଥିଲେ।