ଭୁବନେଶ୍ଵର, ୦୪/୦୧ : ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଜାନୁଆରୀ ୮ରେ ଭୁବନେଶ୍ଵର ଆସିବେ ପ୍ରଧାନମନ୍ତ୍ରୀ। ସେ ରାତି ୮ଟାରେ ବିମାନବନ୍ଦରରେ ପହଞ୍ଚି ସିଧା ରାଜଭବନ ଯିବେ। ରାଜଭବନରେ ରାତ୍ରୀଯାପନ କରିବେ। ୯ ତାରିଖରେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହାପରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ।
ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ସଜେଇ ହେଲାଣି ରାଜଧାନୀ ଭୁବନେଶ୍ୱର। ରାସ୍ତାଘାଟ ସଫା କରାଯିବା ସହ କାନ୍ଥରେ ଓଡ଼ିଶାର କଳା, ସଂସ୍କୃତିକୁ ନେଇ ଚିତ୍ର ଅଙ୍କାଯାଇଛି । ବିମାନ ବନ୍ଦରରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାର ମେଡିଆନକୁ ସୁସଜ୍ଜିତ କରାଯାଇଛି । ସମ୍ମିଳନୀ ପାଇଁ ବିଏମ୍ସି ପୂରା ପ୍ରସ୍ତୁତ ହୋଇରହିଛି । ପ୍ରବାସୀମାନଙ୍କ ସ୍ୱାଗତରେ ଯେଭଳି କୌଣସି ଉଣା ନହୁଏ, ସେଥିପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।