ଲକ୍ଷ୍ନୌ,୧୦/୦୨: ମହାକୁମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରୟାଗରାଜରେ ଚାଲିଥିବା ଦିବ୍ୟ ଓ ଭବ୍ୟ ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି । ଏହା ସହିତ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ ପକାଇଛନ୍ତି । ସଙ୍ଗମ ଘାଟରେ ଆସ୍ଥାର ବୁଡ ପକାଇଛନ୍ତି ମହାମହିମ । ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ମହାକୁମ୍ଭରେ ବୁଡ ପକାଇଛନ୍ତି ଦ୍ରୌପଦୀ ମୁର୍ମୁ । ବୁଡ ପକାଇବା ପରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ । ପ୍ରୟାଗରାଜରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ୮ ଘଣ୍ଟାର କାର୍ଯ୍ୟକ୍ରମ ରହିଛି ।
ପୂର୍ବାହ୍ନ ୧୦ଟାରେ ବିମାନ ବନ୍ଦରରେ ପହଞ୍ଚିଥିଲେ ମହାମହିମ । ସେଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ୍ ତାଙ୍କୁ ସ୍ବାଗତ କରିଥିଲେ । ସେଠାରୁ ପ୍ରୟାଗରାଜରେ ପହଞ୍ଚି ତ୍ରିବେଣୀ ସଙ୍ଗମରେ ଡଙ୍ଗାରେ ବୁଲିବା ସହ ରାଷ୍ଟ୍ରପତି ପକ୍ଷୀଙ୍କୁ ଦାନା ପକାଇଥିବା ଦେଖିବାକୁ ମିଳିଥିଲା । ୧୧ଟାରେ ସଙ୍ଗମ ଘାଟରେ ବୁଡ ପକାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ରାଷ୍ଟ୍ରପତି ସେଠାରେ ଅପରାହ୍ନ ୪ଟା ଯାଏ ରହିବାର କାର୍ଯ୍ୟକ୍ରମ ରହିଛି । ଅକ୍ଷୟବଟ ଓ ବଡ଼େ ହନୁମାନ ମନ୍ଦିର ଦର୍ଶନ ସହିତ ପୂଜାର୍ଚ୍ଚନା କରିବେ ।
#WATCH | Prayagraj, UP: President Droupadi Murmu offers prayers after taking a holy dip at Triveni Sangam during the ongoing Maha Kumbh Mela. pic.twitter.com/xLtUt27U66
— ANI (@ANI) February 10, 2025
ଏହା ସହିତ ରାଷ୍ଟ୍ରପତି ଡିଜିଟାଲ୍ ମହାକୁମ୍ଭ ଅନୁଭବ କେନ୍ଦ୍ରର ଅବଲୋକନ କରିବେ । ସେଠାରେ ମହାକୁମ୍ଭ ମେଳା ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଯୁକ୍ତି ମାଧ୍ୟମରେ ଉପଲବ୍ଧ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ସମୟରେ ତାଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ । ଦେଶର ପ୍ରଥମ ନାଗରିକଙ୍କର ସଙ୍ଗମରେ ବୁଡ଼ ପକାଇବାର ଏହା ଐତିହାସିକ କ୍ଷଣ ହୋଇଥିଲା । ଏହା ପୂର୍ବରୁ ଦେଶର ପ୍ରଥମ ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦ କୁମ୍ଭରେ ପବିତ୍ର ବୁଡ଼ ପକାଇଥିଲେ ।
ଏହା ବି ପଢନ୍ତୁ...ତ୍ରିବେଣୀ ସଙ୍ଗମରେ ପ୍ରଧାନମନ୍ତ୍ରୀ ମୋଦି, ପୂଜାର୍ଚ୍ଚନା କଲେ ପବିତ୍ର ବୁଡ ପକାଇଲେ
ଗତ ଫେବୃଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାକୁମ୍ଭ ମେଳାରେ ଯୋଗ ଦେଇଥିଲେ । ଗଙ୍ଗା ନଦୀ କୂଳରେ ପୂଜାର୍ଚ୍ଚନା କରିବା ସହ ସଙ୍ଗମ ଘାଟରେ ବୁଡ ପକାଇଥିଲେ । ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପ୍ରମୁଖ ମହାକୁମ୍ଭରେ ବୁଡ ପକାଇଥିଲେ ।
ପ୍ରକାଶ ଥାଉ କି, ଗତ ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ । ଭବ୍ୟ ଦିବ୍ୟ କୁମ୍ଭମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ବାବା, ସାଧୁ ସନ୍ଥଙ୍କ ସମାଗମ ହୋଇଛି । ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ । ଆସନ୍ତା ଫେବୃଆରୀ ୨୬ ତାରିଖ ଯାଏ କୁମ୍ଭମେଳା ଚାଲିବ।