ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟା ଘଟଣା, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

Published By : prameya | February 16, 2025 8:39 AM

ନୂଆଦିଲ୍ଲୀ,୧୬/୦୨: ନୂଆଦିଲ୍ଲୀ ରେଳ ଷ୍ଟେସନରେ  ଦଳଚକଟା ଘଟଣା। ଏଥିରେ ୧୮ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ସେହିପରି  ୨୦ରୁ ଅଧିକ ଆହତ ଯାତ୍ରୀଙ୍କୁ ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ  ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି ।  ଷ୍ଟେସନର ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ରାତି ପ୍ରାୟ ୯ଟା ୨୬ଟାରେ ଏହି ଅଘଟଣ ଘଟିଛି । ତେବେ ଅଘଟଣକୁ ନେଇ,ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ରିପୋର୍ଟରୁ ଜଣାପଡ଼ିଛି ଯେ, ୟୁପିର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାକୁ ଯିବା ପାଇଁ ଅନେକ ଯାତ୍ରୀ ନୂଆଦିଲ୍ଲୀ ଷ୍ଟେସନରେ ଅପେକ୍ଷା କରିଥିଲେ । ଏହାପରେ ପ୍ରୟାଗରାଜ ଯିବାକୁ ଥିବା ଦୁଇଟି ଟ୍ରେନ୍‌ ବିଳମ୍ବ ହେବାରୁ ଯାତ୍ରୀ ସଂଖ୍ୟା ଅତ୍ୟଧିକ ବଢ଼ିଯାଇଥିଲା । ଫଳରେ ୨ଟି ପ୍ଲାଟଫର୍ମରେ ଅସମ୍ଭାଳ ଭିଡ଼ ହୋଇଥିଲା । ଏହାଯୋଗୁ ଦଳାଚକଟା ହୋଇଥିଲା । ଆର୍‌ପିଏଫ, ଏନ୍‌ଡିଆର୍‌ଏଫ୍‌ ଓ ଦିଲ୍ଲୀ ପୁଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଚେତ ହୋଇପଡ଼ିଥିବା ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ୧୮ ଜଣଙ୍କ ମୃତ୍ୟୁ ଘଟିବା ନେଇ ଏଲ୍‌ଏନ୍‌ଜେପି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଦଳାଚକଟା ଘଟଣା ନେଇ ସୂଚନା ମିଳିବା ପରେ ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ ୪ଟି ଗାଡ଼ି ପଠାଇଥିଲା । ଅତିରିକ୍ତ ଆମ୍ବୁଲାନ୍ସ ବି ପଠାଯାଇଥିଲା । ବିନା ଟିକେଟରେ ଏତେ ସଂଖ୍ୟକ ଲୋକ ଷ୍ଟେସନ ଭିତରକୁ କେମିତି ପ୍ରବେଶ କଲେ, ତାହା ନେଇ ଦିଲ୍ଲୀ ପୁଲିସ ତଦନ୍ତ ଜାରି ରଖିଛି । ଦିଲ୍ଲୀ ଉପରାଜ୍ୟପାଳ ଭି କେ ସକ୍ସେନା ଓ ଦିଲ୍ଲୀର କାମଚଳା ମୁଖ୍ୟମନ୍ତ୍ରୀ ଆତିଶୀ ଏଲ୍‌ଏନ୍‌ଜେପି ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି । 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ନୂଆଦିଲ୍ଲୀ ଷ୍ଟେସନରେ ଦଳଚକଟା ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟାରେ ଲୋକଙ୍କ ମୃତ୍ୟୁ ଖବର ଶୁଣି ବହୁତ ଦୁଃଖିତ । ମୁଁ  ପୀଡ଼ିତ ପରିବାରଙ୍କୁ ମୋର ହୃଦୟରୁ ସମବେଦନା ଜଣାଉଛି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ସେହିପରି ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି ଯେ, 'ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଯୋଗୁଁ ମୁଁ ମର୍ମାହତ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା ।  ଆହତମାନେ ଶୀଘ୍ର ଆରୋଗ୍ୟ ହେଉ ବୋଲି ମୁଁ ପ୍ରାର୍ଥନା କରୁଛି । ଏହି ଦଳାଚକଟା ଦ୍ୱାରା ପ୍ରଭାବିତ ସମସ୍ତଙ୍କୁ କର୍ତ୍ତୃପକ୍ଷ ସହାୟତା କରୁଛନ୍ତି ।'

ରେଳ ଅଧିକାରୀଙ୍କ ଅନୁଯାୟୀ, ରବିବାର ଛୁଟିଦିନ ଥିବାରୁ ଶନିବାର ପ୍ରୟାଗରାଜ ଯିବା ପାଇଁ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ । ଶନିବାର ଦିନ ଅଧିକ ଜେନେରାଲ ଟିକେଟ୍ ମଧ୍ୟ ବିକ୍ରି ହୋଇଥିଲା।  ଯାତ୍ରୀମାନେ ପ୍ରୟାଗରାଜ ଅଭିମୁଖେ ଯାଉଥିବା ଦୁଇଟି ଟ୍ରେନ୍ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଏହି ଟ୍ରେନ୍ ଗୁଡ଼ିକ ଆସି ନଥିଲା, ଯାହା ଫଳରେ ପ୍ଲାଟଫର୍ମରେ ଯାତ୍ରୀଙ୍କ ଭିଡ଼ ଜମି ଯାଇଥିଲା।ବାରାଣାସୀ ଯାଉଥିବା ଶିବଗଙ୍ଗା ଏକ୍ସପ୍ରେସ୍ ପ୍ଲାଟଫର୍ମରେ ଅଟକିଯିବାରୁ, ଏହାର ଯାତ୍ରୀମାନେ ମଧ୍ୟ ପ୍ଲାଟଫର୍ମରେ ଆସିବାକୁ ଲାଗିଲେ । ଏପରି ପରିସ୍ଥିତିରେ ଭିଡ଼ ବଢ଼ିଗଲା ଏବଂ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ  ଠେଲାପେଲା ହୋଇ ଦଳାଚକଟା ଘଟିଗଲା। ଏହି କାରଣରୁ କିଛି ଲୋକ ପ୍ଲାଟଫର୍ମରେ ପଡ଼ି ଭିଡ଼ରେ ଚାପି ହୋଇଗଲେ ।ଉଲ୍ଲେଖଯୋଗ୍ୟ, ୨୦୧୩ ଫେବ୍ରୁଆରୀ ୧୦ରେ କୁମ୍ଭମେଳା ବେଳେ ପ୍ରୟାଗରାଜ ଷ୍ଟେସନରେ ଦଳଚକଟା ଯୋଗୁଁ ୩୬ ଜଣ ପ୍ରାଣ ହରାଇଥିଲେ । 






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.