ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି (ଆପ୍)ର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମୁସ୍କିଲ ବଢି ଯାଇଛି। ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମୋକଦମା ଚଲାଇବାକୁ ଦାବି କରି ପଠାଯାଇ ଥିବା ଫାଇଲରେ , ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱୀକୃତିର ମୋହର ଲଗାଇଛନ୍ତି। ୬୦ ବର୍ଷିୟ ଜୈନଙ୍କ ବିରୋଧରେ ଗୃହ ମନ୍ତ୍ରଣାଳୟ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୨୧୮ ଅନୁସାରେ, ମୋକଦମା ଚାଲିବା ନେଇ ମଞ୍ଜୁରୀ ଦେବାକୁ ଅନୁରୋଧ କରାଯାଇ ଥିଲା। ପିଟିଆଇ ସୂତ୍ରାନୁସାରେ କହିଥିଲା କି , ମନ୍ତ୍ରଣାଳୟ ଇଡିର ଯାଞ୍ଚ ଓ ‘ପର୍ଯ୍ୟାପ୍ତ ପ୍ରମାଣ’ ର ଉପସ୍ଥିତିର ଆଧାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି ଅନୁରୋଧ କରିଥିଲା।
କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଉପରେ ମନି ଲଣ୍ଡରିଂର ଅଭିଯୋଗରେ ମାମଲା ରୁଜୁ କରି ଥିଲା ଏବଂ ମେ ୨୦୨୨ରେ ତାଙ୍କୁ ଗିରଫ କରାଯାଇ ଥିଲା। ଜୈନ ବର୍ତ୍ତମାନ ଜାମିନ୍ରେ ଜେଲ୍ରୁ ବାହାରିଛନ୍ତି ଏବଂ ଇଡି ତାଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରିଛି।
ମନି ଲଣ୍ଡରିଂର ମାମଲା ଅଗଷ୍ଟ ୨୦୧୭ରେ ସିବିଆଇ ଦ୍ୱାରା କରାଯାଇ ଥିଲା। ଏହା ଜୈନ ଓ ଅନ୍ୟ ଲୋକଙ୍କ ବିରୋଧରେ, ଆୟ ବହିଃର୍ଭୁତ ସଂପତ୍ତି ରଖିବା ଅଭିଯୋଗରେ ରୁଜୁ କରାଯାଇ ଥିବା ଏଫଆଇଆର ସହ ଜଡ଼ିତ। ସିବିଆଇ ଡିସେମ୍ୱର ୨୦୧୮ରେ ଅଭିଯୋଗ ପତ୍ର ଦାଖଲ କରିଥିଲା ,ଯେଉଁଥିରେ କୁହାଯାଇ ଥିଲା କି ଆୟ ବହିଃର୍ଭୁତ ସଂପତ୍ତି ୧.୪୭ କୋଟି ଟଙ୍କା ଥିଲା,ଯାହା ୨୦୧୫-୧୭ବେଳେ ଜୈନଙ୍କ ଆୟର ଜ୍ଞାତ ସ୍ତ୍ରୋତର ପାଖାପାଖି ୨୧୭ ପ୍ରତିଶତ ଅଧିକ ଥିଲା।