ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ନନ୍ଦନକାନନରେ ଗ୍ରୀଷ୍ମ ମୁକାବିଲା ପ୍ରସ୍ତୁତି; ହାତୀଙ୍କ ପାଇଁ ହାତୀଶାଳରେ ସାୱାର ବ୍ୟବସ୍ଥା, ମାଂଶାସୀଙ୍କ ପାଇଁ ମାଂସ ଆଇସକ୍ରିମ୍

Published By : Prameya | February 13, 2025 5:31 PM

ଭୁବନେଶ୍ୱର, ୧୩।୨: ଅପସରି ଯାଉଛି ଶୀତ, ମାଡ଼ି ଆସୁଛି ଗ୍ରୀଷ୍ମ । ଗ୍ରୀଷ୍ମପ୍ରବାହର ତୀବ୍ରତାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ନେଇଛନ୍ତି ଆଗୁଆ ପଦକ୍ଷେପ । ଜୀବଜନ୍ତୁ ରହୁଥିବା ଖୁଆଡ଼କୁ ଥଣ୍ଡା ରଖିବାକୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାଣୀ ଉଦ୍ୟାନର ୩୧୮ଟି ଖୁଆଡ଼କୁ ଥଣ୍ଡା ରଖାଯିବାକୁ ବ୍ୟବସ୍ଥା । ଏହିସବୁ ଖୁଆଡ଼ରେ ୧୭୩ ପ୍ରଜାତିର ୩୯୬୪ ଜୀବଜନ୍ତୁ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୧୦ଟି ଭାରତୀୟ ଓ ୬୩ଟି ବିଦେଶୀ ପ୍ରଜାତିର ଜୀବଜନ୍ତୁ ଅଛନ୍ତି । ସେଥିରେ ୫୭ ପ୍ରଜାତିର ସ୍ତନ୍ୟପାୟୀ, ୮୦ ପ୍ରଜାତିର ପକ୍ଷୀ, ୩୦ ପ୍ରଜାତିର ସରୀସୃପ ଓ ୬ ପ୍ରଜାତିର ଉଭୟଚର ପ୍ରାଣୀ ଅଛନ୍ତି । ପ୍ରତ୍ୟେକ ଖୁଆଡ଼ ଉପରେ ନଡ଼ାଛପର କରାଯାଇଛି । ଖୁଆଡ଼ ପାଶ୍ୱର୍ରେ ବେଣା ଚେର ଲଗାଯାଉଛି । ବାହାର ଖୁଆଡ଼ ଓ ପାଣିକୁଣ୍ଡ ଉପରେ ଛାମୁଣ୍ଡିଆ କରାଯାଉଛି । ଅଧିକ ଗରମ ହେଲେ ଖୁଆଡ଼ରେ ବରଫ ରଖିବା ସହ ସିଞ୍ଚନ ବେଣାଚେରରେ ପାଣି କରାଯିବ । ପ୍ରାୟ ସବୁ ଜୀବଜନ୍ତୁଙ୍କୁ କାକୁଡ଼ି, ତରଭୁଜ ଓ ଥଣ୍ଡା ପାନୀୟ ଦିଆଯିବ । ହାତୀଙ୍କ ମୁଣ୍ଡ ଥଣ୍ଡା ରହିବା ପାଇଁ ମୁଣ୍ଡରେ ଜଡ଼ାତେଲ ଲଗାଯିବ । ପ୍ରତିଦିନ ହାତୀଙ୍କୁ ପୋଖରୀରେ ଗାଧୋଇ ଦିଆଯିବ । 

ଗରମ ସହି ପାରୁନଥିବା ଜନ୍ତୁଙ୍କ ମଧ୍ୟରେ ସିମ୍ପାଞ୍ଜି, ହୁଲୁକ ଗିବନ, ବିଦେଶୀ ମାଙ୍କଡ଼ ଓ ବଜ୍ରକାପ୍ତା ରହିଛନ୍ତି । ସେମାନଙ୍କ ଖୁଆଡ଼ ଦୁଆର ମୁହଁରେ କୁଲର ଲଗାଯାଇଛି । ଜଳ ଜାତୀୟ ଖାଦ୍ୟ ସହିତ ଫଳକୁ ବରଫ କରି ଖାଇବାକୁ ଦିଆଯିବ । ତୃଣଭୋଜୀ ପ୍ରାଣୀଙ୍କ ଖୁଆଡ଼ ଚାରିପାଖରେ ନେଟ୍‌ ବନ୍ଧାଯାଇ ପାଣି ସିଞ୍ଚନ କରାଯିବ । ବାଘ, ସିଂହ ଭଳି ମାଂଶାସୀ ପ୍ରାଣୀଙ୍କୁ ମାଂସକୁ ବରଫ କରି ଦିଆଯିବ । ଭାଲୁଙ୍କ ଲାଗି ଉଦ୍ଦିଷ୍ଟ ଫିଡିଂ ଚାମ୍ବରରେ ବରଫ ଖଣ୍ଡ ରଖାଯିବା ସହ ପାଣିକୁଣ୍ଡରେ ବରଫ ପକାଯାଉଛି । ସକାଳ ୧୦ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପାଣି ସିଞ୍ଚନ କରାଯିବ । ଚଢ଼େଇଙ୍କୁ ବିଭିନ୍ନ ପ୍ରକାର ମିଠା ଫଳ, ତରଭୁଜକୁ ଥଣ୍ଡା କରି ଖାଇବାକୁ ଦିଆଯିବ । ଗାଧୋଇବା ପାଇଁ ଖୁଆଡ଼ ମଧ୍ୟରେ ବଡ଼ ପାତ୍ରରେ ପାଣି ରଖାଯିବ । କିଛି ପ୍ରାଣୀଙ୍କୁ ଅଂଶୁଘାତ ହେବାର ସମ୍ଭାବନା ରହିଥାଏ । ତେଣୁ ସେମାନଙ୍କ ପାଇଁ ଓଆରଏସ୍‌ ପାଣି ଓ ବିଭିନ୍ନ ଫଳକୁ ଅଧିକ ଥଣ୍ଡା କରି ଖାଇବାକୁ ଦିଆଯିବ । 

ସେହିଭଳି ପର୍ଯ୍ୟଟକଙ୍କ ପାଇଁ ପ୍ରଚୁର ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଚଳିତ ବର୍ଷ ମୋଟ ୨୫ଟି ପିଇବା ପାଣି ସ୍ଥାନ ଚୟନ କରାଯାଇଛି । ସେଥିମଧ୍ୟରେ ୧୧ଟି ସ୍ଥାନରେ ସ୍ଥାୟୀ ପାଣି ପଏଣ୍ଟ ରହିଛି । ୧୪ଟି ଅସ୍ଥାୟୀ ପଏଣ୍ଟ କରାଯାଉଛି । ସବୁ ସ୍ଥାନରେ ଜଣେ ଲେଖାଏଁ କର୍ମଚାରୀ ରହିବେ । ଗୋଟିଏ ବ୍ୟାଟେରୀ ଚାଳିତ ଗାଡ଼ି ବୁଲି ବୁଲି ଅସ୍ଥାୟୀ ସ୍ଥାନରେ ପାଣି ପହଞ୍ଚାଇବ । ପର୍ଯ୍ୟଟକ ବୁଲିବା ସମୟରେ ଅସୁସ୍ଥତା ଦେଖାଦେଲେ ଅଂଶୁଘାତ କୋଠରୀରେ ରଖି ସେମାନଙ୍କ ପାଇଁ ଓଆରଏସ ପାଣିର ବ୍ୟବସ୍ଥା ମଧ୍ୟ କରାଯିବ । ପର୍ଯ୍ୟଟକଙ୍କ ପାଇଁ କିଛି ଅସ୍ଥାୟୀ ଛାଇ ସ୍ଥାନର ବ୍ୟବସ୍ଥା କରାଯିବ । ଗ୍ରୀଷ୍ମ ଋତୁରେ ପ୍ରାଣୀ ଉଦ୍ୟାନରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠିରେ ଅବଗତ କରାଯାଇଛି । ଯଦି ବିଦ୍ୟୁତ କାଟ ହୁଏ ତେବେ ନନ୍ଦନକାନନର ଜେନେରେଟର ବ୍ୟବହାର କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.