ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବୁଝାମଣାର ଅଭାବ ପାଇଁ ଭାଙ୍ଗି ଯାଉଛି ସାତ ଜନ୍ମର ସମ୍ପର୍କ, ବିବାହ ବିଚ୍ଛେଦ ରୋକିବ ପ୍ରାକ୍‌ ବିବାହ ପରାମର୍ଶ କେନ୍ଦ୍ର

Published By : Prameya | February 12, 2025 11:35 AM

ଭୁବନେଶ୍ୱର, ୧୨/୦୨ : ରାଜ୍ୟରେ ବଢୁଛି ଯୁବ ଦମ୍ପତିଙ୍କ ବିବାହ ବିଚ୍ଛେଦ। ବୁଝାମଣାର ଅଭାବ ପାଇଁ ଭାଙ୍ଗି ଯାଉଛି ସାତ ଜନ୍ମର ସମ୍ପର୍କ। ଏହି ବିବାହ ବିଚ୍ଛେଦ ରୋକିବାକୁ ଓଡ଼ିଶାରେ ଖୋଲିବ ପ୍ରାକ୍ ବିବାହ ପରାମର୍ଶ କେନ୍ଦ୍ର। ଦମ୍ପତିଙ୍କୁ ଦିଆଯିବ ମାନସିକ ସ୍ଵାସ୍ଥ୍ୟ କାଉନସେଲିଂ। ଏଥିସହ ଗ୍ରାମାଞ୍ଚଳରେ ମହିଳାଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ଗ୍ରାମସଭା। ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା ରାହତକାରଙ୍କ ପରାମର୍ଶ କ୍ରମେ ଖୁବଶୀଘ୍ର ନିଆଯିବ ଏହି ପଦକ୍ଷେପ। ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୨ତମ ପ୍ରତିଷ୍ଠା ଦିବସରେ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଯୁବ ଦମ୍ପତିମାନଙ୍କ କ୍ଷେତ୍ରରେ ଛାଡ଼ପତ୍ରର ସମସ୍ୟା ବଢୁଛି। କିଛି ବୁଝାମଣାର ଅଭାବ ପାଇଁ ବିବାହ ବିଚ୍ଛେଦ ଭଳି ଦୁଃଖଦ ଘଟଣାକୁ ସ୍ୱୀକାର କରିନେଉଛନ୍ତି । ଏକ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ରରେ ଏହାକୁ ରୋକିବାକୁ ୨୦୨୫ ମସିହାକୁ ବିବାହ ବିଚ୍ଛେଦ ରୋକିବା ବର୍ଷ ଭାବେ ପାଳନ କରାଯିବ । ଏଥିସହ ଖୁବଶୀଘ୍ର ଖୋଲିବ ପ୍ରାକ୍‌ ବିବାହ ଓ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ କେନ୍ଦ୍ର । ‘ମଦର୍ସ କୋର୍ଟ’ ଭଳି ମହିଳା କମିଶନ୍‌ କାମ କରିବ । ଆଉ କ୍ଷମତାହୀନ ହୋଇ ରହିବନି ରାଜ୍ୟ ମହିଳା ଆୟୋଗ । ଆଗକୁ ସଶକ୍ତ ହେବ ଏବଂ ଦଣ୍ଡ ଦେବାର କ୍ଷମତା ବହନ କରିବ । ୩୨ ବର୍ଷ ହେଲା ଆୟୋଗ କେବଳ ପୁଲିସକୁ ସୁପାରିସ କରୁଛି । ଆୟୋଗର ଅଧିକାର ସମନ୍‌ କରିବା, ଡାକିବା, ଦଣ୍ଡିତ କରିବା । କିନ୍ତୁ ଦଣ୍ଡ ଦେବା କ୍ଷମତା ନ ଥିବାରୁ ଆୟୋଗ ସବୁବେଳେ ପୁଲିସ ଉପରେ ନିର୍ଭର କରୁଛି । କ୍ଷମତା ବିନା କିଛି ମାନେ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । 

ଏଥିସହ ଖୁବ୍‌ଶୀଘ୍ର ରାଜ୍ୟ ମହିଳା ଆୟୋଗର ନୂତନ ଅଧ୍ୟକ୍ଷା ନିଯୁକ୍ତ ହେବେ ବୋଲି ସେ ସୂଚନା ଦେଇଛନ୍ତି । ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା ରାହତକାର କହିଛନ୍ତି, ଭାରତରେ ବହୁ କୁଟୁମ୍ବ ପରିବାର ଥିଲା । ଏବେ କିନ୍ତୁ ଏହା କମି କମି ଯାଉଛି । ପରିବାରର ଝଗଡ଼ା, ମତାନ୍ତର ସିଧାସଳଖ ପୁଲିସ, କମିଶନ ଏବଂ କୋର୍ଟକୁ ଯାଉଛି । ଏହା ଚିନ୍ତାର ବିଷୟ । ବିବାହ ପରେ ଜୀବନରେ କ’ଣ କ’ଣ ପରିବର୍ତ୍ତନ ଆସିଥାଏ, ସେ ବିଷୟରେ ଘରେ ଚର୍ଚ୍ଚା ହେଉନି । ଏ ଦିଗରେ ପ୍ରାକ୍‌ ବିବାହ ପରାମର୍ଶ କେନ୍ଦ୍ର କାମ କରିବ । ଅନ୍ତର୍ଜାତୀୟ ମହିଳା ଦିବସ, ମାର୍ଚ୍ଚ ୮ ବେଳକୁ ପ୍ରତି ଗ୍ରାମରେ ସ୍ୱତନ୍ତ୍ର ମହିଳା ଗ୍ରାମସଭା ଆୟୋଜନ କରାଯିବ । ମହିଳା ବିରୋଧୀ ଅପରାଧ ନିୟନ୍ତ୍ରଣ ଉପରେ ଏଠାରେ ବିଶଦ୍‌ ଆଲୋଚନା କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.