ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଫ୍ରାନ୍ସ ଯାଉଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନରେ ପ୍ରବେଶ କରିଥିଲା। ପ୍ରାୟ ୪୬ ମିନିଟ୍ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ପାକିସ୍ତାନ ଆକାଶରେ ଘୁରି ବୁଲିଥିଲା। ଏହା ଇସଲାମାବାଦରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି କରିଥିଲା। ପାକିସ୍ତାନର ଏଆରୱାଇ ନ୍ୟୁଜ୍ ଏହି ସୂଚନା ଦେଇଛି। ନୂଆଦିଲ୍ଲୀରୁ ପ୍ୟାରିସ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନ ଏୟାରସ୍ପେସ ବ୍ୟବହାର କରିଥିଲା ବୋଲି ଏଆରୱାଇ ନ୍ୟୁଜ୍ ବେସାମରିକ ବିମାନ ଚଳାଚଳ ସୂତ୍ରକୁ ଉଦ୍ଧୃତ କରି ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ "ଇଣ୍ଡିଆ 1" ଶେଖପୁରା, ହାଫିଜାବାଦ, ଚକୱାଲ ଏବଂ କୋହତ ଦେଇ ପାକିସ୍ତାନ ଅଞ୍ଚଳରେ ପ୍ରବେଶ କରିଥିଲା ଏବଂ ଏହା ୪୬ ମିନିଟ୍ ପର୍ଯ୍ୟନ୍ତ ପାକିସ୍ତାନ ଆକାଶରେ ରହିଥିଲା। ଏହି ଘଟଣା ସହ ଜଡିତ ଥିବା ସୂତ୍ର ଗୁଡିକ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଫଗାନ ଆକାଶ ସୀମା ବନ୍ଦ ଥିବାରୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ଅନୁମତି ଦିଆଯାଇଥିଲା। ଏହା ପ୍ରଥମ ଥର ନୁହେଁ ଯେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନୀ ଆକାଶ ସୀମା ବ୍ୟବହାର କରିଛି। ଗତ ବର୍ଷ ଅଗଷ୍ଟ ମାସରେ, ପୋଲାଣ୍ଡରୁ ଦିଲ୍ଲୀ ଯାତ୍ରା ସମୟରେ ମୋଦିଙ୍କ ବିମାନ ମଧ୍ୟ ପାକିସ୍ତାନର ଆକାଶପଥ ବ୍ୟବହାର କରିଥିଲା।
ନୂଆଦିଲ୍ଲୀରୁ ଉଡ଼ାଣ ଭରିବା ଦିନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ରାତି ପ୍ରାୟ ୧୧ଟାରେ ପାକିସ୍ତାନ ଅଞ୍ଚଳରେ ପ୍ରବେଶ କରିଥିଲା ଏବଂ ୪୬ ମିନିଟ୍ ପର୍ଯ୍ୟନ୍ତ ଦେଶ ଭିତରେ ରହିଥିଲା। ପୂର୍ବରୁ, ଯେତେବେଳେ ନରେନ୍ଦ୍ର ମୋଦି ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ଭେଟିବା ପାଇଁ କ୍ବିଭ୍ ଯାଉଥିବା ବେଳେ ପୋଲାଣ୍ଡ ରାଜଧାନୀ ୱାର୍ସା ଗସ୍ତ କରିଥିଲେ, ତାଙ୍କ ବିମାନ ମଧ୍ୟ ପାକିସ୍ତାନ ଦେଇ ଯାଇଥିଲା।