ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମୋଦି-ଅଲ୍ ଥାନି ସାକ୍ଷାତ ଆଲୋଚନା, ଫୋକସରେ ବାଣିଜ୍ୟ ଓ ଟେକ୍ନୋଲୋଜି, ୮୬,୮୭୩ କୋଟି ନିବେଶ କରିବ କତାର

Published By : Prameya | February 19, 2025 8:09 AM

ନୂଆଦିଲ୍ଲୀ ୧୯/୦୨: ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା କତାର ଅମିର ଶେଖ ତମିମ ବିନ ହମାଦ ଅଲ୍‌-ଥାନି ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ବ୍ୟବସାୟ, ବାଣିଜ୍ୟ କାରବାର, ନିବେଶ, ଶକ୍ତି, ଟେକ୍ନୋଲୋଜି ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଛି । ଉଭୟ ନେତା ଦୁଇଦେଶ ମଧ୍ୟରେ ରଣନୀତିକ ଭାଗିଦାରୀ ସ୍ତରକୁ ମଜଭୁତ କରିବା ସହ ଏହାକୁ ବଢ଼ାଇବା ନେଇ ଆଲୋଚନା କରିଛନ୍ତି । ପରେ କେତେକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଭାରତରେ କତାର ୧୦ ବିଲିୟନ ଡଲାର (୮୬,୮୭୩ କୋଟି ଟଙ୍କା) ନିବେଶ କରିବ ବୋଲି ଘୋଷଣା କରିଛି । 

ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଆଜି ଅନୁଷ୍ଠିତ ଦୁଇଦେଶ ମଧ୍ୟରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା । ଏଥିରେ ବିଦେଶ ମନ୍ତ୍ରୀ ଡକ୍ଟର ଏସ୍‌ ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ । ଦ୍ୱିପାକ୍ଷିକ ସ୍ୱାର୍ଥ ଜଡିତ ପ୍ରସଙ୍ଗ ବ୍ୟତୀତ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଉପରେ ଉଭୟ ମୋଦି ଓ କତାର ଅମିର ଆଲୋଚନା କରିଥିଲେ । କତାର ଜେଲ୍‌ରେ ବନ୍ଦୀ ଥିବା ଭାରତୀୟଙ୍କ କଥା ମୋଦି ଉଠାଇଥିଲେ । ଆଲୋଚନା ପରେ ଦୁଇଦେଶ ପକ୍ଷରୁ ମିଳିତ ଘୋଷଣାନାମା ପ୍ରକାଶ ପାଇଛି । ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରୀ, ଦ୍ୱୈତ ଟିକସ ଏଡାଇବା, ଆର୍ଥିକ ସହଯୋଗ, କ୍ରୀଡା ଓ ଯୁବ ବ୍ୟାପାର, ଦସ୍ତାବିଜ ଓ ପୁରାଲେଖ, ପୁଞ୍ଜିନିବେଶ ଏବଂ ବ୍ୟବସାୟିକ ସହଯୋଗ ବୃଦ୍ଧି ନେଇ ଉଭୟ ଦେଶ ମଧ୍ୟରେ ୭ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଭାରତରେ ଭିତ୍ତିଭୂମି, ଟେକ୍ନୋଲୋଜି, ମ୍ୟାନୁଫ୍ୟାକଚରିଂ, ଖାଦ୍ୟ ସୁରକ୍ଷା, ଲିଜିଷ୍ଟିକ, ହସ୍ପିଟାଲିଟି ଓ ଅନ୍ୟ କେତେକ କ୍ଷେତ୍ରରେ କାତାର ୧୦ ବିଲିୟନ ଡଲାର ନିବେଶ କରିବାକୁ ଘୋଷଣା କରିଛି । କତାରରେ ୟୁପିଆଇର ପ୍ରଚଳନକୁ ଉଭୟ ଦେଶ ସ୍ୱାଗତ କରିଛନ୍ତି । 

ସେହିଭଳି ମନି ଲଣ୍ଡରିଂ, ନିଶାଦ୍ରବ୍ୟ କାରବାର, ସାଇବର ଅପରାଧର ମୁକାବିଲା କ୍ଷେତ୍ରରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ । କତାରକୁ ଭାରତ ଔଷଧ ଓ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଯୋଗାଇବ । କ୍ରୀଡା ଓ ସଂସ୍କୃତି କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ସହମତି ପ୍ରକାଶ ପାଇଛି । ଆତଙ୍କବାଦକୁ ଉଭୟ ଦେଶ ନିନ୍ଦା କରିବା ସହ ଜାତିସଂଘରେ ସଂସ୍କାରକୁ ସମର୍ଥନ ଜଣାଇଛନ୍ତି । କତାର ଅମିରଙ୍କର ଏହା ସରକାରୀ ଭାବେ ଦ୍ୱିତୀୟ ଭାରତ ଗସ୍ତ । ଏହା ପୂର୍ବରୁ ସେ ୨୦୧୫ ମାର୍ଚ୍ଚରେ ଭାରତ ଆସିଥିଲେ । ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ କତାର ଅମିରଙ୍କୁ ରାଷ୍ଟ୍ରପତି ଭବନରେ ଔପଚାରିକ ଗାର୍ଡ ଅପ୍‌ ଅନର ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ମୋଦି ସେଠାରେ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.