ନୟାଗଡ,୩/୧: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ରଣ୍ଡା ଗ୍ରାମର ସନ୍ତୋଷ ଜେନାଙ୍କ ପୁଅ ସୌମ୍ୟରଞ୍ଜନ (୨୩) ନିଜ ଗ୍ରାମରେ ଥିବା ଡ୍ୟାମକୁ ଗାଧାଇବାକୁ ଯାଇ ୨୦ ଫୁଟ ପାଣିରେ ବୁଡି ଯାଇଛନ୍ତି। ଗ୍ରାମବାସୀ ଟାଙ୍ଗି ଦମକଳ କାର୍ଯ୍ୟାଳୟକୁ ଖବର ଦେବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ଖୋଜିବା ପରେ ସାଢେ ୩ ଟାରେ ପାଣି ଭିତରୁ ସୌମ୍ୟକୁ ପାଇଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ନେଇ ସୂଚନା ମିଳିଛି।
ସୂଚନା ମୁତାବକ, ସୌମ୍ୟରଞ୍ଜନ ପୁରୀରେ ରହି ବି-ଫାର୍ମା ପଢୁଥିବାବେଳେ ବର୍ତ୍ତମାନ ଛୁଟିରେ ଗାଁକୁ ଆସିଥିଲା। ସେ ଆଜି ଦିନ ୧୨ ଟାରେ କେତେ ଜଣ ସାଙ୍ଗଙ୍କ ସହ ମିଶି ଡ୍ୟାମକୁ ଗାଧାଇବାକୁ ଯାଇଥିଲା। ସେ ଗାଧଉ ଗାଧଉ ଗଭୀର ଡ୍ୟାମ ମଧ୍ୟକୁ ପଶିଯାଇଥିଲେ। ସେଠାରେ ୨୦ ଫୁଟ ଉଚ୍ଚତାର ପାଣି ରହିଥିଲା। ସେଠାରେ ଗାଧାଇବାବେଳେ ସେ ହଠାତ୍ ପାଣିରେ ବୁଡିଯାଇଥିଲେ।
ଦୀର୍ଘସମୟ ପର୍ଯ୍ୟନ୍ତ ସେ ବାହାରକୁ ନବାହାରିବାରୁ ତାଙ୍କ ସାଙ୍ଗ ମାନଙ୍କ ମନରେ ସନ୍ଦେହ ହୋଇଥିଲା। ସାଙ୍ଗମାନେ ବହୁ ଖୋଜାଖୋଜି କରି ତାଙ୍କୁ ନପାଇବାରୁ ଟାଙ୍ଗି ଦମକଳ ବାହିନୀକୁ ଫୋନ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ସୌମ୍ୟଙ୍କୁ ବହୁ ଖୋଜାଖୋଜି କରି ତାଙ୍କୁ ପାଣି ଭିତରୁ ତାକୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ତେବେ ଯୁବକଜଣଙ୍କର ମୃତ୍ୟୁ ପରେ ଗ୍ରାମରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇଛି।