ମାଲକାନଗିରି,୨/ ୨ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ମାଓ ଦମନ ଅଭିଯାନବେଳେ ସୁରକ୍ଷା ବାହିନୀଙ୍କ ଦ୍ଵାରା ଜଣେ ମାଓବାଦୀ ଗିରଫ ହେବା ସହ ବିସ୍ଫୋରକ ଦ୍ରବ୍ୟ ଜବତ ହୋଇଛି । ସୂଚନା ଅନୁଯାୟୀ ସୀମାନ୍ତ ସୁକୁମା ଜିଲ୍ଲାର ପୋଲାମପାଲି ଥାନା ଅଧୀନରେ ଥିବା ପୋଲାମପାଲି ନିକଟରେ ଯବାନ ଓ ପୋଲିସ ପକ୍ଷରୁ ତଲାସି ଅଭିଯାନ କରଯାଇଥିଲା।
ଏହି ସମୟରେ ସେହି ରାସ୍ତାରେ ଥିବା ଏକ ପୋଲ ତଳେ ଜଣେ ବ୍ୟକ୍ତି ଲୁଚି ରହିଥିବା ଦେଖି ସନ୍ଦେହ କରି ଯବାନ ମାନେ ତାଙ୍କୁ କାବୁ କରିଥିଲେ । ପଚରାଉଚରାବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ଜଣେ ମାଓବାଦୀ ବୋଲି ସ୍ଵୀକାର କରିଥିବା ବେଳେ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଗୋଟିଏ ୫ କିଲୋଗ୍ରାମ ଓଜନର ଆଇଇଡି ବୋମା ପୋଲ ତଳେ ଖଞ୍ଜିଥିବା ପ୍ରକାଶ କରିଥିଲା ।
ଯବାନମାନେ ତୁରନ୍ତ ଉକ୍ତ ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିବା ସହ ଉକ୍ତ ମାଓବାଦୀକୁ ଗିରଫ କରିଥିଲେ। ଗିରଫ ମାଓବାଦୀର ନାମ ମାଡକମ୍ ସୁକ୍କା ହୋଇଥିବାବେଳେ ତା ନିକଟରୁ ୨ଟି ଇଲେକ୍ଟ୍ରିକ୍ ଡେଟୋନେଟର୍, ଜିଲାଟିନ୍ ରଡ୍, କର୍ଡେକ୍ସ ତାର ଆଦି ଜବତ କରିଥିଲେ।