ଝାରସୁଗୁଡ଼ା,୦୨/୦୨: ହୀରାକୁଦ ଜଳଭଣ୍ଡାର ଉପକଣ୍ଠରେ ଦ୍ରୁତ ଶିଳ୍ପାୟନ ଏବଂ ଅବିଚାରିତ ଖଣି ଖନନ ହୀରାକୁଦ ଆର୍ଦ୍ରଭୂମିର ସୁରକ୍ଷା ଦିଗରେ ବଡ଼ ବିପଦ ସାଜିଛି । ରାମସାର ସାଇଟ୍ ଭାବେ ଘୋଷଣା ହେବା ପରେ ଏହାର ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଥିଲା । ମାତ୍ର ଏହି ଜଳଭଣ୍ଡାରକୁ ଲାଗି ଯେଭଳି ଶିଳ୍ପ ଗଢି ଉଠିବା ଲାଗି ସୁଯୋଗ ସୃଷ୍ଟି କରାଯାଉଛି ତାହା ଆଗାମୀ ଦିନରେ ଏହି ଆର୍ଦ୍ରଭୂମିର ସଂକଟ ବୃଦ୍ଧି କରିବ । ଜୈବ ବିବିଧତା ସାଂଘାତିକ ପ୍ରଭାବିତ ହେବ । ଖାସକରି କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ପ୍ରକଳ୍ପ ବହୁଳତା ଯୋଗୁଁ ଫ୍ଲାଇ ଆଶ୍ ଓ ଉତ୍ପାଦନକ୍ଷମ ଏକାଧିକ ଆଲୁମିନିୟମ ଶିଳ୍ପ ଯୋଗୁଁ ଫ୍ଲୋରାଇଡ୍ର ବିଷ ଏହି ଜଳଭଣ୍ଡାରକୁ ସାଂଘାତିକ ପ୍ରଦୂଷିତ କରିବାକୁ ଲାଗିଛି । କର୍କଟ ସୃଷ୍ଟି କରି ଭାରୀଧାତୁ ଜଳଭଣ୍ଡାର ମଧ୍ୟରେ ପଟୁରେ ମିଶି ପୋତି ହୋଇ ରହିବାରୁ ଜଳଭଣ୍ଡାର ଜଳକୁ କ୍ୟାନସର କାରକ ଭାବେ ଗଣା ହେବାରେ ଲାଗିଛି ।
ହୀରାକୁଦ ଜଳଭଣ୍ଡାର ଏସିଆ ମହାଦେଶର ସର୍ବ ବୃହତ କୃତ୍ରିମ ସରୋବର । ଯାହାର କ୍ଷେତ୍ରଫଳ ୭୪୬ ବର୍ଗ କିଲୋମିଟର । ୨୧ କିଲୋମିଟର ଦୀର୍ଘ ଏହି ନଦୀବନ୍ଧ ସୃଷ୍ଟି କରିଥିବା ଜଳଭଣ୍ଡାରର ଜୈବ ବିବିଧତାର ସଂରକ୍ଷଣ ପ୍ରତି ଗୁରୁତ୍ୱ ଦେଇ ରାମସାର ସାଇଟ୍ ଭାବେ ଘୋଷଣା ହୋଇ ସାରିଛି । ଓଡ଼ିଶାରେ ରହିଥିବା ଚିଲିକା, ଭିତରକନିକା, ସାତକୋଶିଆ ଗଣ୍ଡ, ଡାମ୍ପରା ଏବଂ ଅଂଶୁପା ହ୍ରଦ ମଧ୍ୟରୁ ହୀରାକୁଦ ଜଳଭଣ୍ଡାର ଅନ୍ୟତମ । ଗତ ଚାରି ଦଶନ୍ଧିରେ ଦେଶର ପ୍ରାୟ ଏକ ତୃତୀୟାଂଶ ଆର୍ଦ୍ରାଞ୍ଚଳର ଅବକ୍ଷୟ ଘଟିଛି । ଓଡ଼ିଶାରେ ମଧ୍ୟ ଅନୁରୂପ ସ୍ଥିତି । ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ ଏବଂ ଓଡ଼ିଶାର ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଶିଳ୍ପାୟନର ପ୍ରଭାବରେ ମାଟି, ପଙ୍କ, ପାଉଁଶ, ଶିଳ୍ପ ବର୍ଜ୍ୟ, ଅଶୋଧିତ ନର୍ଦ୍ଦମା ପାଣି ମିଶ୍ରଣ, ଅନାବନା ବୃକ୍ଷଲତାର ଅନୁପ୍ରବେଶ, ବାଲି ଓ ପଥର ଉତ୍ତୋଳନ, କୋଇଲା ଖଣି ଗୁଡ଼ିକର ଖନନ, ବିସ୍ଫୋରକ ସାମଗ୍ରୀର ବ୍ୟବହାର, ଜଳର ମାତ୍ରାଧିକ ଓ ହାନିକାରକ ଉପଯୋଗ ଏବଂ ନିୟନ୍ତ୍ରଣହୀନ ପର୍ଯ୍ୟଟନ, ରେଳପଥ ନିର୍ମାଣ ଓ ଖଣି ସଂପ୍ରସାରଣ ଦ୍ୱାରା ବ୍ୟାପକ ଜଙ୍ଗଲ ନଷ୍ଟ ସହ ମୃତ୍ତିକା ଅବକ୍ଷୟ ଆଦି ଅପରିଣାମଦର୍ଶୀ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ବୃହତ ଆର୍ଦ୍ରାଞ୍ଚଳର ଅସ୍ତିତ୍ୱକୁ ପ୍ରଶ୍ନ ଚିହ୍ନ ଲାଗିଛି।
ପ୍ରଦୂଷଣ ସୃଷ୍ଟିକାରୀ ବିଷାକ୍ତ ପଦାର୍ଥକୁ ଆର୍ଦ୍ରାଞ୍ଚଳ ମୃତ୍ତିକା ଓ ବୃକ୍ଷଲତା ସଂଗ୍ରହ କରି ପାଣିର ପ୍ରାକୃତିକ ବିଶୋଧନନରେ ସହାୟକ ହୋଇଥାଏ । ଆର୍ଦ୍ରଭୂମି ଜଳଚର ଜୀବ ଏବଂ ଉଦ୍ଭିଦଙ୍କୁ ଆଶ୍ରୟ ଦେଇଥାଏ । ମାତ୍ର ହୀରାକୁଦ ଜଳଭଣ୍ଡାର ଉପକଣ୍ଠରେ ଅବିଚାରିତ ଖଣି ଖନନ ଏବଂ ଦ୍ରୁତ ଶିଳ୍ପାୟନର ବିଭୀଷିକା ଆଜି ପରିସ୍ଥିତିକୁ ପ୍ରତିକୂଳ ରୂପ ଦେବାକୁ ଲାଗିଛି । ଝାରସୁଗୁଡ଼ା ଭଳି ଜିଲ୍ଲାରେ ହୀରାକୁଦ ଜଳଭଣ୍ଡାର ଉପକଣ୍ଠରେ ଗତ ୩୩ ବର୍ଷ ଭିତରେ ୨୮୩୩ ହେକ୍ଟର ଜଙ୍ଗଲ ଜମି ଉଭୟ ଖଣି ଏବଂ ଶିଳ୍ପ ଆଁରେ ସ୍ୱାହା ହୋଇଥିବା ବେଳେ ଗତ ଏକ ଦଶନ୍ଧିରେ ଜଙ୍ଗଲ ଧ୍ୱଂସ ପରିମାଣ ୧୩୬୫.୯୩୯ ହେକ୍ଟର ଜମି ସନ୍ତୁଳନ ବିଗାଡ଼ିଛି । ଜିଲ୍ଲାରେ ଗତ ୧୯୮୯ ମସିହା ଠାରୁ ଅଦ୍ୟାବଧି ୩୬ଟି ଶିଳ୍ପ, ଖଣି, ରେଳ ଲାଇନ ନିର୍ମାଣ, ଉଚ୍ଚ କ୍ଷମତା ସଂପନ୍ନ ବୈଦ୍ୟୁତିକ ଟାୱାର ସ୍ଥାପନ ଏବଂ ଅନ୍ୟାନ୍ୟ ପ୍ରକଳ୍ପକୁ ଜଙ୍ଗଲ ଜମି ବ୍ୟବହାର ଲାଗି ଷ୍ଟେଜ-୨ କ୍ଲିୟରାନ୍ସ ପ୍ରଦାନ କରାଯାଇଛି । ଯେଉଁଥିରେ ସମୁଦାୟ ୨୮୩୩.୮୫୯୩ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରାଯାଇ ଶିଳ୍ପ ଓ ଖଣି ସଂସ୍ଥାଙ୍କୁ ପ୍ରଦାନ କରାଯାଇଛି ।
ହୀରାକୁଦ ଜଳଭଣ୍ଡାର ତଥା ମହାନଦୀର ଶାଖାନଦୀର ସ୍ଥିତି ସଂଗୀନ । ଇବ୍, ଭେଡ଼େନ, ବଡ଼କେଲୋ, ସାନକେଲା, ଲିଲାରୀ, ବାଗଡ଼ିଆ, ଅହିରା ନାଳା ଆଦି ଆଉ ଚିରସ୍ରୋତା ହୋଇ ରହିନାହିଁ। ଗ୍ରୀଷ୍ମର ଅବ୍ୟବହିତ ପୂର୍ବରୁ ଏହି ସବୁ ନଦୀ ନାଳା ଶୁଖି ଯିବାରେ ଲାଗିଛି । ଉପରମୁଣ୍ଡରେ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଏବଂ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଅଂଚଳରେ ବ୍ୟାପକ ଖଣି ଖନନ ଜନିତ ଜଙ୍ଗଲ ନଷ୍ଟ ଏବଂ ପରିବେଶ ପ୍ରଦୂଷଣ ଏହି ସବୁ ଜଳଉତ୍ସକୁ ସାଂଘାତିକ ଭାବେ ପ୍ରଭାବିତ କରି ଚାଲିଛି । ଆଗକୁ ହୀରାକୁଦର ଏହି ଶାଖାନଦୀ ନାଳ ଗୁଡ଼ିକର ଜଳଉତ୍ସଗୁଡ଼ିକର ସଂରକ୍ଷଣ ନ ହେଲେ ଏହି ଜଳଭଣ୍ଡାର ଅଚିରେ ଜଳଶୂନ୍ୟ ହେବାର ଆଶଙ୍କା ହେବାରେ ଲାଗିଛି । ଯାହାର ସିଧାସଳଖ ପ୍ରଭାବ ହୀରାକୁଦ ଆର୍ଦ୍ରଭୂମି ତଥା ରାମସାର ସାଇଟ୍ ଉପରେ ପଡ଼ିବ ଏଥିରେ ସନ୍ଦେହ ନାହିଁ । ହୀରାକୁଦ ବନ୍ଧର ଆୟୁ ଶହେ ବର୍ଷ ବୋଲି ଆଗରୁ ଭବିଷ୍ୟବାଣୀ କରାଯାଇଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ଏହି ବିସ୍ତୀର୍ଣ୍ଣ ଆଦ୍ରଭୂମି ନିଜର ସତ୍ତା ହରାଇବ ବୋଲି ତଥ୍ୟାଭିଜ୍ଞ ମହଲର ଆଶଙ୍କା ।