ନୂଆଦିଲ୍ଲୀ: ତେଲୁଗୁ ଫିଲ୍ମ ପ୍ରଯୋଜକ ସୁଙ୍କାରା କୃଷ୍ଣ ପ୍ରସାଦ ଚୌଧୁରୀ (କେପି ଚୌଧୁରୀ) ଆତ୍ମହତ୍ୟା କରିଛନ୍ତି । ଗୋଆ ସ୍ଥିତ ଭଡ଼ା ଘରୁ ସୋମବାର ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ 'କବାଲି' ଫିଲ୍ମ ପ୍ରଯୋଜନା ପାଇଁ କେପି ଚୌଧୁରୀଙ୍କୁ ଖୁବ ଲୋକପ୍ରିୟତା ମିଳିଥିଲା । ଏହା ପୂର୍ବରୁ ୨୦୨୩ରେ ଡ୍ରଗ୍ସ ଚାଲାଣ ମାମଲାରେ ସାଇବରାବାଦ ସ୍ପେଶାଲ୍ ଅପରେସନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ଟଲିଉଡ୍ ଏବଂ କଲିଉଡ୍ ଫିଲ୍ମ ଶିଳ୍ପ ଏବଂ ବ୍ୟବସାୟିକ କ୍ଷେତ୍ର ଉଭୟରେ ତାଙ୍କର ଗ୍ରାହକ ଥିଲେ ।
କାମର ଅଭାବ ଏବଂ ଅତ୍ୟଧିକ ଋଣଭାରରେ ବୁଡ଼ି ରହିଥିବାରୁ ସେ ଡ୍ରଗ୍ସ ବ୍ୟବସାୟ କରୁଥିଲେ । କେପି ଚୌଧୁରୀ ସେଲିବ୍ରିଟିମାନଙ୍କୁ ଡ୍ରଗ୍ସ ଯୋଗାଉଥିବା ନେଇ ପୋଲିସ ତଦନ୍ତରୁ ଜଣାପଡ଼ିଥିଲା । ସେ ଗୋଆରେ ଥିବା ଓଏଚଏମ ପବ୍ ମାଧ୍ୟମରେ ଡ୍ରଗ୍ସ ଯୋଗାଉଥିଲେ । ଗୋଆ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଗିରଫ ହେବା ପରେ କେପି ଚୌଧୁରୀ ମାନସିକ ଅବସାଦରେ ଥିଲେ ଏବଂ ତାଙ୍କର ଅର୍ଥାଭାବ ଲାଗି ରହିଥିଲା ।
ଏସବୁ ସମସ୍ୟା ସତ୍ତ୍ୱେ ସେ ମନୋରଞ୍ଜନ ଦୁନିଆରେ କାମ ଜାରି ରଖିଥିଲେ । କିନ୍ତୁ ତାଙ୍କର ମାନସିକ ଅବସାଦ ଏବଂ ଆର୍ଥିକ ଅଭାବ ତାଙ୍କ ଉପରେ ବିଶେଷ ପ୍ରଭାବ ପକାଇଥିବା ପରି ମନେ ହେଉଛି। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ କହିଛି । ମିଳିଥିବା ସୂଚନା ଅନୁସାରେ, ଅଞ୍ଜୁନା ଥାନା ଅନ୍ତର୍ଗତ ସାଓଲିମ୍ ଆଉଟପୋଷ୍ଟ ମାମଲାର ତଦନ୍ତ କରୁଛି । ଉତ୍ତର ଗୋଆର ଏସପି ଅକ୍ଷତ କୌଶଳ କହିଛନ୍ତି, ସମୟ ଆସିଲେ ମାମଲା ସହ ଜଡ଼ିତ ସମସ୍ତ ସୂଚନା ଦିଆଯିବ ।