ଭୁବନେଶ୍ଵର, ୦୨/୦୧ : ଫିଲ୍ମ ୱାଇଫ୍କୁ ଓଡ଼ିଶାରେ ସଫଳତା ମିଳିବା ପରେ ଏବେ ବେଙ୍ଗାଲୁରୁରେ ରିଲିଜ୍ କରିବା ପାଇଁ ଯୋଜନା କରୁଛନ୍ତି ପ୍ରଯୋଜକ। ଶନିବାର କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ପ୍ରଯୋଜକ ବିଜୟ କଣ୍ଡୋଇ। କଳିଙ୍ଗ ବାଙ୍ଗାଲୋର ଫାଉଣ୍ଡେସନ ଆନୁକୁଲ୍ୟରେ ଆସନ୍ତା ୧୭ତାରିଖରେ ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମରେ ବିଦିଶା କ୍ରାଫ୍ଟ ପ୍ରଡକ୍ସନ ହାଉସ୍ ତରଫରୁ ବେଙ୍ଗାଲୁରୁ ସମେତ ଅନ୍ୟ ସହର ଓ ବିଦେଶରେ ଏହି ଫିଲ୍ମ ରିଲିଜର ତାରିଖ ଘୋଷଣା କରାଯିବ। ବେଙ୍ଗାଲୁରୁରେ ପ୍ରାୟ ୧୦ଲକ୍ଷ ଓଡ଼ିଆ ରହୁଛନ୍ତି। ତେଣୁ ୱାଇଫ୍ ଚଳଚ୍ଚିତ୍ରକୁ ଓଡ଼ିଶା ଭଳି ବେଙ୍ଗାଲୁରୁ ଓ ଅନ୍ୟ ସହର ଗୁଡିକରେ ଦର୍ଶକ ବେଶ୍ ପସନ୍ଦ କରିବେ ବୋଲି ବର୍ଷା ପ୍ରିୟଦର୍ଶିନୀ ଆଶା ରଖିଛନ୍ତି।
ସୂଚନାନୁଯାୟୀ, ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଫିଲ୍ମ ୱାଇଫ୍ ନୂଆବର୍ଷରେ ରିଲିଜ୍ ହୋଇଥିଲା। ସାରା ଓଡ଼ିଶାରେ ୧୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଫିଲ୍ମରେ ଜଣେ ନାରୀର ବୈବାହିକ ଜୀବନ ଯନ୍ତ୍ରଣା କିଭଳି ଶାଶୁ ଘରର ଚାରି କାନ୍ଥରେ ଲୁଚିଯାଏ ଆଉ ସେ ତାର ଅଧିକାର ପାଇଁ କିଭଳି ଜୀବନ ସାରା ଲଢେଇ କରେ ତାହା ଚିତ୍ରିତ କରାଯାଇଛି। ଫିଲ୍ମଟି ଦର୍ଶକଙ୍କ ମନ ଛୁଇଁଥିବା ବେଳେ ପ୍ରଶଂସାର ସୁଅ ଛୁଟୁଛି।
ଫିଲ୍ମ 'ୱାଇଫ୍'ରେ ସୁଧାକର ବସନ୍ତ ନିର୍ଦ୍ଦେଶନା ଦେଇଛନ୍ତି। ବବି ଇସଲାମ ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଛନ୍ତି। ଫିଲ୍ମର ସଂଳାପ ବିଜୟ ମଲ୍ଲ ଲେଖିଛନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର ଏବଂ ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ ଓ ଅରୁଣ ମନ୍ତ୍ରୀ। କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ହ୍ୟୁମାନ ସାଗର ଏବଂ ସତ୍ୟଜିତ ପ୍ରଧାନ । ମୋଟ ୪ଟି ଗୀତ ଏହି ଫିଲ୍ମକୁ ବେଶ ଶୃତି ମଧୁର ଓ ମେଲୋଡିଅସ ହୋଇଛି। ଫିଲ୍ମରେ ବର୍ଷାଙ୍କ ବିପକ୍ଷରେ ଅଭିନେତା ଜୟଜିତ ଦାସଙ୍କୁ ଦେଖିବାକୁ ମିଳିଛି।