ପ୍ରୟାଗରାଜ ୦୧/୦୨: କୁମ୍ଭମେଳାରେ ପହଞ୍ଚିଛନ୍ତି ଲୋକପ୍ରିୟ ବଲିଉଡ୍ ନିର୍ଦ୍ଦେଶକ କବୀର ଖାନ୍ । କୁମ୍ଭରେ ସେ ପବିତ୍ର ସ୍ନାନ କରିବେ ବୋଲି କହିଛନ୍ତି । ଏହା ତାଙ୍କର ୨ୟ ମହାକୁମ୍ଭ ଯାତ୍ରା । ଏହା ଉପରେ ଫିଲ୍ମ ନିର୍ମାଣ ପାଇଁ ଯୋଜନା କରିବେ ବୋଲି କବୀର କହିଛନ୍ତି । ଚେହେରା ଢାଙ୍କି ସେ ମହାକୁମ୍ଭ ଆଖଡ଼ାରେ ପହଞ୍ଚିଥିଲେ । ଗଳାରେ ଏକ ବଡ଼ କ୍ୟାମେରା ଝୁଲାଇ ଅଜବ-ଗଜବ ସାଧୁ-ସନ୍ଥଙ୍କ ଫଟୋ ଉଠାଇଲେ । ରାତି ୧ଟା ପର୍ଯ୍ୟନ୍ତ ସେ ମହାକୁମ୍ଭରେ ବୁଲିଲେ ।
ମହାକୁମ୍ଭ ଉପରେ ଫିଲ୍ମ ନିର୍ମାଣ ପ୍ରଶ୍ନର ଉତ୍ତରରେ କବୀର କହିଲେ, ଏହା ବିଶ୍ୱର ସବୁଠୁ ବଡ଼ ଧାର୍ମିକ ଆୟୋଜନ । ସାରା ବିଶ୍ୱ ଏହାକୁ ଜାଣିବାକୁ ଓ ଦେଖିବାକୁ ଆସୁଛି । ଏଠାରେ ହିନ୍ଦୁ-ମୁସଲମାନ ଭେଦଭାବ ନାହିଁ । ମୁଁ ୨ୟ ଥର ମହାକୁମ୍ଭକୁ ଆସିଛି । ଏହା ଉପରେ ଫିଲ୍ମ ନିର୍ମାଣର ଯୋଜନା କରିବି । ଏଠାରେ ପ୍ରତ୍ୟେକ ମୁହୂର୍ତ୍ତକୁ କ୍ୟାମେରା ଲେନ୍ସରେ ବନ୍ଦୀ କରୁଛି । ଆମେ ନିର୍ଦ୍ଦେଶକ ସବୁ ସ୍ଥାନରେ କାହାଣୀ ଖୋଜୁ । ସବୁ ସ୍ଥାନର ମାହୋଲ ଦେଖି ମସ୍ତିଷ୍କରେ ସାଇତି ରଖୁ । କେବେ ନା କେବେ ନିଶ୍ଚୟ ଏହାର ଉପଯୋଗ କରୁ । ମହାକୁମ୍ଭକୁ ଆସିବାର ମଉକା ମିଳିଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମନେକରୁଛି ।