କଟକ,୧୮/୦୧: ପ୍ରାଥମିକ ଓ ହାଇସ୍କୁଲ୍ ସ୍ତରରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା (ପିଏମ୍ଏସ୍ଟି)-୨୦୨୪ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆବେଦନ ଶେଷ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ଆବେଦନର ସମୟ ସୀମା ଧାର୍ଯ୍ୟ କରାଯାଇଥିବା ବେଳେ ବୋର୍ଡ ପକ୍ଷରୁ ଜାନୁଆରୀ ୨୨ତାରିଖ ପର୍ଯ୍ୟନ୍ତ ଘୁଞ୍ଚଇ ଦିଆଯାଇଛି ବୋଲି ବୋର୍ଡ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦିଆଯାଇଛି । ଏହି ପରୀକ୍ଷାରେ ଷଷ୍ଠ ଓ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ହିଁ କେବଳ ଭାଗ ନେଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଆବେଦନ ବ୍ଲକ୍ ଶିକ୍ଷାଧିକାରୀଙ୍କ ଜରିଆରେ କରାଯିବ ।
ସେହିପରି ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ଆବେଦନ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଦ୍ୱାରା କରାଯିବା ଲାଗି ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅନ୍ଲାଇନ୍ରେ ହେବାକୁ ଥିବା ଏହି ଆବେଦନ କିମ୍ବା ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଫର୍ମ ପୂରଣ ଶେଷ ହେବା ପରେ ପରୀକ୍ଷା ସମୟ ନିର୍ଘଣ୍ଟ ସମ୍ପର୍କରେ ଖୁବ୍ ଶୀଘ୍ର ଅବଗତ କରାଇ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।