ନୂଆଦିଲ୍ଲୀ,୧୦/୦୨: ସୋମବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ବାର୍ଷିକ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ (ପିପିସି) ଆୟୋଜନ ହେବ । ପ୍ରଧାନମନ୍ତ୍ରୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହ ସିଧାସଳଖ କଥା ହେବେ ।
ଏ ନେଇ ଜାରି ପ୍ରେସ୍ ବିଜ୍ଞପ୍ତି ମୁତାବକ,ଏ ବର୍ଷ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପୂର୍ବ ରେକର୍ଡ ଭାଙ୍ଗିଦେବ । ଏଥିରେ ୫ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ସାମିଲ ହେବେ। ଏହି ଅଷ୍ଟମ ସଂସ୍କରଣରେ ଅଭିନେତା ବିକ୍ରାନ୍ତ ମାସି, ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଭୂମି ପେଡନେକର ଯୋଗଦେବେ । ବକ୍ସିଂ ବିଶ୍ୱ ଚାମ୍ପିଅନ ଏମ୍ସି ମେରୀ କମ୍ ଓ ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁଙ୍କ ଭଳି ପ୍ରମୁଖ ବ୍ୟକ୍ତିବିଶେଷ ବି ଅଂଶଗ୍ରହଣ କରିବେ । ଉକ୍ତ କାର୍ଯ୍ୟକ୍ରମରେ ପରୀକ୍ଷା ସଂକ୍ରାନ୍ତ ପ୍ରସଙ୍ଗ, ପରାମର୍ଶ ଓ ଚାପ ଭଳି ଘଟଣାକୁ ନେଇ ଚର୍ଚ୍ଚା କରାଯାଏ । ଅଭିଭାବକ ଓ ଶିକ୍ଷକମାନଙ୍କର ମାର୍ଗଦର୍ଶନ କରାଯାଏ । ଏହି ଆପୋସ ଆଲୋଚନାମୂଳକ କାର୍ଯ୍ୟକ୍ରମ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହୋଇଥାଏ । କାର୍ଯ୍ୟକ୍ରମ ପରେ ସମସ୍ତ ପ୍ରତିଭାଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଏ ।
ଏ ବର୍ଷ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୬ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି । ଏଥର ଖେଳ ଓ ଅନୁଶାସନ, ମାନସିକ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ପ୍ରଯୁକ୍ତି ଓ ଅର୍ଥ, ସୃଜନଶୀଳତା ଓ ସକାରାତ୍ମକ ଚିନ୍ତାଧାରା, ମାନସିକ ଶାନ୍ତି, ସଫଳତା କାହାଣୀ ଭଳି ବିଷୟରେ ଚର୍ଚ୍ଚା ହେବ ।