ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ସେନା। ପାକିସ୍ତାନ ଏବଂ ଏହାର ଆତଙ୍କବାଦୀ ସଂଗଠନ ଗୁଡ଼ିକ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର । ଆଉ ଏବେ ଜମ୍ମୁ-କାଶ୍ମୀର ପୋଲିସ ମଧ୍ୟ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଜମ୍ମୁ-କାଶ୍ମୀରର ରାଜଧାନୀ ଶ୍ରୀନଗରରେ ପୋଲିସ ୧୧ଟି ସ୍ଥାନରେ ଚଢାଉ କରିଛି।
ସୂଚନା ମୁତାବକ ଜମ୍ମୁ-କାଶ୍ମୀର ପୋଲିସ ଆତଙ୍କବାଦୀଙ୍କ ବିରୋଧରେ କଡ଼ା ଅଭିଯାନ ଆରମ୍ଭ କରିଛି। ପୋଲିସର ସୂଚନା ଅନୁଯାୟୀ,୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ୧୫୦ ଜଣ ଆତଙ୍କବାଦୀ କିମ୍ବା ସେମାନଙ୍କ ସହଯୋଗୀଙ୍କ ଘରେ ଚଢାଉ କରାଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଭିତ୍ତିଭୂମିକୁ ନଷ୍ଟ କରିବା ଲକ୍ଷ୍ୟରେ ଏହି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ଏହା ଅଧୀନରେ, ଅନେକ ସ୍ଥାନରେ ଚଢାଉ ଅଭିଯାନକୁ ଜୋରଦାର କରାଯାଇଛି।
ଜମ୍ମୁ ଏବଂ କାଶ୍ମୀର ପୋଲିସ ମୁଖପାତ୍ର କହିଛନ୍ତି ଯେ ଏହି ଅପରେସନ ଅଧୀନରେ, ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀ ସହଯୋଗୀ ମାନଙ୍କୁ ଟାର୍ଗେଟ କରାଯାଉଛି। UAPA ଆଇନ ଅନୁଯାୟୀ ପଞ୍ଜିକୃତ ମାମଲାରେ ପୋଲିସ ତଦନ୍ତକୁ ଆଗକୁ ବଢ଼ାଉଛି। ଏହି କ୍ରମରେ, ମଙ୍ଗଳବାର ଦିନ ୧୧ଟି ସ୍ଥାନରେ ଚଢାଉ କରାଯାଇଥିଲା।
ଜମ୍ମୁ-କାଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଏହି ତିନି ଜଣ ଆତଙ୍କବାଦୀ ଲସ୍କର-ତୈବାର ଥିଲେ। ଭାରତୀୟ ସେନା କହିଛି ଯେ ଅପରେସନ କେଲର ଅନ୍ତର୍ଗତ ଏକ ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନର ତିନି ଜଣ ସଦସ୍ୟ ନିହତ ହୋଇଛନ୍ତି।