ନୂଆଦିଲ୍ଲୀ: ବହୁ ଚର୍ଚ୍ଚା ଆଲୋଚନା ପରେ ଦିଲ୍ଲୀକୁ ମିଳିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ରେଖା ଗୁପ୍ତାଙ୍କ ଉପରେ ବିଶ୍ବାସ ପ୍ରକଟ କରିଛନ୍ତି । ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବେ । ସେହିଭଳି ନୂଆ ଦିଲ୍ଲୀ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ହରାଇ ବିଜୟୀ ହୋଇଥିବା ବିଜେପି ନେତା ପରବେଶ ବର୍ମା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଗୁରୁବାର ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ । ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ସହରର ମଧ୍ୟ, ଉତ୍ତର ଏବଂ ନୂଆଦିଲ୍ଲୀ ଅଞ୍ଚଳରେ ୨୫୦୦୦ରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହେବେ ବୋଲି ଜଣେ ଅଧିକାରୀ କହିଛନ୍ତି ।
ଦିଲ୍ଲୀର ନୂଆ ଭାଗ୍ୟ 'ରେଖା'; ୨୭ ବର୍ଷ ପରେ ବିଜେପିର ରେଖା ଗୁପ୍ତା ଧରିବେ ଦିଲ୍ଲୀ ଶାସନର ମଙ୍ଗ
ଜାତୀୟ ରାଜଧାନୀରେ ଗୁରୁବାର ଅପରାହ୍ନ୧୨.୩୦ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିରେ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଯୋଗଦେବେ । ୨୫ ହାଜରରୁ ଅଧିକ ପୋଲିସ କର୍ମଚାରୀ ଏବଂ ୧୫ରୁ ଅଧିକ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ କଡ଼ା ନଜର ରଖିବେ ବୋଲି ସଂପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ମଜଭୁତ ସୁରକ୍ଷା ବ୍ୟବସ୍ଥା କରାଯିବ । ରାମଲୀଳା ମୈଦାନ ଏବଂ ଏହାର ଆଖପାଖରେ ପୋଲିସ କର୍ମଚାରୀ ଏବଂ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ହେବେ । ୨୫ ହଜାରରୁ ଅଧିକ ରଣନୈତିକ ପଏଣ୍ଟ ଚିହ୍ନଟ କରାଯାଇଛି, ସେହି ସବୁ ସ୍ଥାନରେ ପୋଲିସ ଛାଉଣୀ ହେବ ।
କିଏ ଏହି ରେଖା ଗୁପ୍ତା ? ଛାତ୍ର ରାଜନୀତିରୁ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଏମିତି ଥିଲା ରାଜନୈତିକ ଯାତ୍ରା…
ସ୍ୱତନ୍ତ୍ର ପୋଲିସ କମିଶନର (ଆଇନ ଏବଂ ଶୃଙ୍ଖଳା) ରବୀନ୍ଦ୍ର ଯାଦବ କହିଛନ୍ତି ଯେ, ଦିଲ୍ଲୀ ପୋଲିସ ଗତ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚଳାଇଛି । ରାମଲୀଳା ମଇଦାନରେ ଅଧିକ ସଂଖ୍ୟକ ଯାନବାହାନ ପହଞ୍ଚିବା ଆଶା କରାଯାଉଥିବାରୁ ଟ୍ରାଫିକ୍ ଏବଂ ପାର୍କିଂ ପରିଚାଳନା କରିବା କଷ୍ଟକର ହେବ । ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା ଆଜି ସକାଳେ ଶପଥ ଗ୍ରହଣ ସମରୋହ ହେବାକୁ ଥିବା ସ୍ଥାନ ରିଦର୍ଶନ କରିଥିଲେ । ସେ ବ୍ୟକ୍ତିଗତ ଭାବରେ ପ୍ରସ୍ତୁତି ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିବୁ ବୋଲି ସ୍ୱତନ୍ତ୍ର ସିପି ରବୀନ୍ଦ୍ର ଯାଦବ କହିଛନ୍ତି।