ପ୍ରମୂଖ ଖବର
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

କୁମ୍ଭମେଳା ଦେଖି ଫେରୁଥିଲେ; ବାଟରେ ଜଗିଥିଲା ଯମ, ଚାଲିଗଲା ୬ ଜୀବନ

Published By : Ankita S | February 21, 2025 11:26 AM

ପାଟନା,୨୧/୦୨: କେତେ ଖୁସିରେ ଘରୁ ଯାଇଥିଲେ । କୁମ୍ଭମେଳା ବୁଲିଲେ । ସଙ୍ଗମ ଘାଟରେ ବୁଡ ପକାଇଲେ । ମେଳା ବୁଲି ଘରକୁ ଫେରୁଥିଲେ ହେଲେ କିଏ ଜାଣିଥିଲା ବାଟରେ ମୃତ୍ୟୁ ଛକି ବସିଛି ବୋଲି । ବିହାର ଆରା ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । କୁମ୍ଭମେଳା ଦେଖି ଫେରୁଥିବାବେଳେ କାର-ଟ୍ରକ୍ ଧକ୍କାରେ ୬ ଜଣଙ୍କର ମୃତ୍ୟୁ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶୋକରେ ବୁଡିଛି ମୃତକଙ୍କ ପରିବାର ।

କାର ଟ୍ରକ୍ ଧକ୍କା- ଆରାର ଜଗଦିଶପୁର ଅଞ୍ଚଳରେ ଆଜି (ଶୁକ୍ରବାର) ସକାଳୁ ଏକ ଭୀଷଣ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ ପରିବାର ୪ ଜଣ ସଦସ୍ୟଙ୍କ ସମେତ ୬ଜଣଙ୍କର ମୃତ୍ୟୁ ହୋଇଛି । ପାଟନାର ନ୍ୟୁ ଜକ୍କନପୁର ଥାନା ଅଞ୍ଚଳ ଛପରା କୋଲୋନୀରେ ରହୁଥିବା ୬ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତେ ମହାକୁମ୍ଭ ମେଳାରୁ କାରରେ ଫେରୁଥିଲେ । ଏହି ସମୟରେ ରାସ୍ତାରେ ଏକ ଟ୍ରକ ସହ କାର ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କାରଟି ଦ୍ରୁତ ଗତିରେ ଆସୁଥିଲା । ଏହି ସମୟରେ ଟ୍ରକ ସହ ପିଟି ହୋଇଥିଲା । ଚାଳକଙ୍କ ଆଖି ଲାଗି ଯିବାକୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଅଧିକ ପଢନ୍ତୁ...ଉତ୍ତରପ୍ରଦେଶର ଦୁଇଟି ପୃଥକ୍ ଦୁର୍ଘଟଣା; ୮ମୃତ, ଏକାଧିକ ଆହତ

ମୃତ ୬ ଜଣଙ୍କ ପରିଚୟ- ଏହି ଭୟଙ୍କର ସଡକ ଦୁର୍ଘଟଣାରେ ମୃତ ୬ଜଣଙ୍କର ପରିଚୟ ମିଳିଛି । ପୋଲିସ ସମସ୍ତଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତ ୬ଜଣଙ୍କର ମଧ୍ୟରେ ୪ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି । ମୃତକ ହେଲେ ସଞ୍ଜୟ କୁମାର (୬୨), କରୁଣା ଦେବୀ (୫୫), ଲାଲବାବୁ ସିଂହ (୨୫), ଆଶା କିରଣ (୨୮), ପ୍ରିୟମ କୁମାରୀ (୨୦) ଏବଂ ଜୁହି ରାନୀ ( ୨୦) । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାର ୪ ଜଣ ହୋଇଥିବା ସୂଚନା ମିଳିଛି ।

ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ବିଶେଷ କରି ମହାକୁମ୍ଭ ଆରମ୍ଭ ହେବା ଦିନକୁ ମେଳା ଦେଖି ଫେରୁଥିବା ବେଳେ କିମ୍ବା ମେଳାରେ ସାମିଲ ହେବାକୁ ଯାଉଥିବା ବାଟରେ ଦୁର୍ଘଟଣା ଘଟି ଅନେକ ଜୀବନ ଦୀପ ଲିଭି ଯାଉଛି । କିଛି ଦିନ ତଳେ ପ୍ରୟାଗରାଜରେ ଏକ ସଡକ ଦୁର୍ଘଟଣା ଘଟି ୧୦ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା । ସମସ୍ତେ ପ୍ରୟାଗରାଜରେ ଆୟୋଜିତ କୁମ୍ଭମେଳା ଦେଖିବାକୁ ଯାଉଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.